କଟକ (ଏଟିଆର ବ୍ୟୁରୋ ) ; ତୁଟୁନି ପୋଲିସ -ଆଇନଜୀବୀଙ୍କ ବିବାଦ । ବାରମ୍ବାର ଆଲୋଚନା ପରେ ମଧ୍ୟ ଏ ଘଟଣାର ସମାଧାନ ପାଇଁ ବାହରୁନି ନିଷ୍କର୍ସ । ଏପରିକି ହାଇକୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଦିନ ସ୍ଥିର ହୋଇଥିଲେ ହେଁ ଏହା ପୁଣି ଘୁଞ୍ଚିବାରେ ଲାଗିଛି । ଆଇନଜୀବୀ – ପୋଲିସ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଚାର୍ଜସିଟ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚ ସମୟ ମାଗିଥିବା କାରଣରୁ ଆଜି ଶୁଣାଣିକୁ ପୁଣି ଘୁଞ୍ଚାଇଦିଆଯାଇଛି । ତେବେ ଆସନ୍ତା ୧୫ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ଶୁଣାଣି କରାଯିବ ବୋଲି ଜଣାପଡିଛି ।
ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ ସୂଚନା ରହିଛି । ସେପଟେ ଭୁବନେଶ୍ୱର କୋର୍ଟ ଆଜିଠୁ ଖୋଲିବ । ଆସନ୍ତାକାଲିଠୁ କୋର୍ଟ କାର୍ଯ୍ୟରେ ସମସ୍ତ ଓକିଲ ମାନେ ସହଯୋଗ କରିବା ସହ ସାଧାରଣ ଲୋକେ ନିଜ ନିଜର କୋର୍ଟ କାର୍ଯ୍ୟ ମଧ୍ୟ ତୁଲାଇପାରିବେ ବୋଲି ଭୁବନେଶ୍ୱର ବାର ଆସୋସିଏସନ ସଭାପତି ଦୁର୍ଗାମାଧବ ମିଶ୍ର କହିଛନ୍ତି । ଏହାସହ ଭୁବନେଶ୍ୱର ବାର ଆସୋସିଏସନ ପୋଲିସର ମାଡ ପ୍ରତିବାଦରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ଏହାର କାର୍ଯ୍ୟ ଶୈଳୀ ପସନ୍ଦ ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଭୁବନେଶ୍ୱର ବାର ଆସୋସିଏସନ ନିଜର ସ୍ୱତନ୍ତ୍ରତା ବଜାଇ ରଖିବ ବୋଲି ସଭାପତି ଦୁର୍ଗାମାଧବ ମିଶ୍ର କହିଛନ୍ତି ।