ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରୋଇ ଗାଡି ଉପରେ କଟକଣା । ଏଣିକି ବିନା ପୋଲିସ ପାସ୍ ରେ କଟକ ଏବଂ ଭୁବନେଶ୍ୱରରେ କୌଣସି ଘରୋଇ ଗାଡି ଗଡିବ ନାହିଁ । ଯେଉଁ ବ୍ୟକ୍ତିଙ୍କର ଜରୁରୀ କାମ ରହିଛି ତେବେ ସେଥିପାଇଁ ସ୍ଥାନୀୟ ପୋଲିସ୍ ଥାନାରୁ ପାସ୍ ଆଣିବାକୁ ପଡିବ । ଏନେଇ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଘୋଷଣା କରିଛନ୍ତି ।
କରୋନା ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ସତ୍ୱେ କିଛି ଲୋକେ ଏହାକୁ ନମାନିବାରୁ ପୋଲିସ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଗଣମାଧ୍ୟମକୁ ସାକ୍ଷାତ କରି ସେ କହିଛନ୍ତି କି, ଯେଉଁ ବ୍ୟକ୍ତି ଆବଶ୍ୟକ ସ୍ଥଳେ ଘରୁ ଗାଡି ବାହାର କରୁଛନ୍ତି, ସେଥିପାଇଁ ତାଙ୍କୁ ଥାନାକୁ ଯାଇ ପାସ୍ ଆଣିବାକୁ ପଡିବ ।
କେବଳ ଏତିକି ନୁହେଁ ଯେଉଁମାନଙ୍କୁ ଯିବା ପାଇଁ ଅନୁମତି ଅଛି ସେମାନେ ବି ଥାନାକୁ ଯାଇ ପାସ୍ ଆଣିବାକୁ ପଡିବ । ଖାସ୍ କରି ହସ୍ପିଟାଲ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀଙ୍କୁ ଆଇଆଇସିଙ୍କ ପାଖରୁ ପାସ୍ ଆଣିବାକୁ ପଡିବ । ସତର୍କତା ପାଇଁ ପୋଲିସ ପକ୍ଷରୁ ଏଭଳି ନିଷ୍ପତି ନେବା ସହ କାହାରିକୁ ରାସ୍ତାକୁ ଓହ୍ଲାଇ ଦିଆଯିବ ନାହିଁ ବୋଲି କୁହାଯାଇଛି । ସେଥିପାଇଁ ପାସ୍ ଆଣିବା ପାଇଁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମୟ ଦିଆଯିବା ସହ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।