ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ଶେଷରେ ଦିଅଁଙ୍କୁ ବି ଛାଡିଲେନି । ମନ୍ଦିର ତାଲା ଭାଙ୍ଗି ସୁନାଗହଣା ସମେତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଏଭଳି କାରସାଦି ନା ଜାଣି ପାରିଲେ ଗାଁ ଲୋକେ ନା ପୋଲିସ୍ । ଅତି ଆରାମରେ ହାତ ସଫେଇ କରି ଦୁର୍ବୃତ୍ତମାନେ ଫେରାର ହେବା ଘଟଣା ଏବେ ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି । ଘଟଣାଟି ନଜରକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗାଁରେ ।
ଗାଁ ମଝିରେ ରହିଛି କାଳୀ ମନ୍ଦିର । ସବୁଦିନ ଭଳି ଆଜି ବି ମନ୍ଦିରର ପୂଜକ ରାତ୍ରି ଧୂପ ସାରି ମନ୍ଦିର ତାଲା ପକାଇ ଘରକୁ ଯାଇଥିଲେ । ହେଲେ କିଛି ଦୁର୍ବୃତ୍ତ ଏହି ମନ୍ଦିରକୁ ଠାବ କରି ଲକ୍ଷାଧିକ ଟଙ୍କାର ଧନ ସମ୍ପତି ଲୁଟି ନେବାରେ ସଫଳ ହୋଇଛନ୍ତି । ପ୍ରାୟତଃ ମା’ଙ୍କର ୨୦ ଭରି ସୁନା ଗହଣା ,ବାସନ କୁସନ ଏବଂ ଦାନ ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଛାନ୍ ଭିନ୍ ଆରମ୍ଭ କରିଛି ।