ଭୁବନେଶ୍ୱର,(ଏଟିଆରବ୍ୟୁରୋ): ମନ୍ଦିର ହୁଣ୍ଡିରୁ ଚୋରୀ । ତାହା ପୁଣି ଅଭିନବ ଢ଼ଙ୍ଗରେ । କାଗଜ ଠୁଲା ଖଞ୍ଜି ଟଙ୍କା ମାରି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଲିଙ୍ଗରାଜ ମନ୍ଦିରରେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ସେପଟେ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଓ ଖୁବ ଶ୍ରୀଘ ମାମଲା କଣ’ ତାହା ପଦାକୁ ଆସିବ ବୋଲି ପୁଲିସ କହିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଜାଗର ପରେ ଗତକାଲି ମନ୍ଦିର ହୁଣ୍ଡି ଖୋଲା ଯାଇଥିଲା । ବାସ ଏହାପରେ ଏଭଳି ଅଭିନବ ଢ଼ଙ୍ଗରେ ହୋଇଥିବା ଚୋରି ଘଟଣା ସାମ୍ନାକୁ ଆସିଛି । ହୁଣ୍ଡିରୁ ମିଳିଛି କେତେକ କାଗଜ ଠୋଲା । ଅଭିଯୋଗ ହୋଇଛି ଯେଭଳି ଠୁଲା ଖଞ୍ଜାଯାଇଛି ସେଥିରେ କୌଣସି ଭକ୍ତ କଏନ ପକାଉଥିଲେ ତାହା ହୁଣ୍ଡିକୁ ଯାଉଥିଲା । କିନ୍ତୁ କଏନ ବଦଳରେ ନୋଟ ପକାଇବା ବେଳକୁ ତାହା ଠୁଲାରେ ଅଟକି ରହୁଥିଲା । ଏଭଳି ଭାବେ ହୁଣ୍ଡିରୁ ଅତି ଚାଲାକର ସହ ଟଙ୍କା ହଡ଼ପ କରାଯାଇଛି । ସୂଚନାଯୋଗ୍ୟ, ହୁଣ୍ଡିରୁ ମୋଟ ୩ଲକ୍ଷ ୮୩ହଜାର ୪ଶହ ୫୮ଟଙ୍କା ଆଦାୟ ହୋଇଛି ।
ଯାହା କି’ ଆହୁରି ଅଧିକ ହେବା କଥା । ପାଖାପାଖି ୧୦ଲକ୍ଷରୁ ଅଧିକ ଟଙ୍କା ହୁଣ୍ଡିରୁ ମିଳିବ ବୋଲି ମନ୍ଦିର ପ୍ରଶାସନ ଆଶା ରଖିଥିଲା । ହେଲେ କାଗଜଠୁଲି ଲାଗି ତାହା ଫସର ଫାଟିଛି । ତେବେ କିଏ ଏଭଳି ଚାଲାକି କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଏହାପଛରେ ମନ୍ଦିରର କୌଣସି କର୍ମଚାରୀ କିମ୍ବା ଅସାଧୁ ବ୍ୟକ୍ତିଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।