ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଶିଳ୍ପଗୁରୁ ବିଶ୍ୱକର୍ମାଙ୍କ ପୂଜା । ଏନେଇ ଚାରିଆଡେ ଉତ୍ସବର ମାହୋଲ । ଭଗବାନ ବିଶ୍ୱକର୍ମା ହେଉଛନ୍ତି ନିର୍ମାଣର ଦେବତା । ସେଥିଲାଗି ବିଭିନ୍ନ ଶିଳ୍ପାନୁଷ୍ଠାନ, ବନ୍ଦର , ଶ୍ରମିକ ସଂଗଠନରେ ବେଶ୍ ଧୁମ୍ ଧାମ୍ ରେ ଭଗବାନଙ୍କ ପୂଜା ଆରମ୍ଭ ହୋଇଛି । ଏହାସହିତ ବିଭିନ୍ନ ଧରଣର ତୋରଣ ଏବଂ ରଙ୍ଗିନ ଆଲୋକ ଲୋକଙ୍କୁ ଆକୃଷ୍ଟ କରୁଛି ।
ଶିଳ୍ପାନୁଷ୍ଠାନ ମାନଙ୍କରେ ଭଗବାନ ବିଶ୍ୱକର୍ମାଙ୍କୁ ୭ ଦିନ ପର୍ଯ୍ୟନ୍ତ ରଖାଯାଇ ପୂଜା କରାଯିବ । ସେଥିଲାଗି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏହାସହିତ ଭିଡକୁ ଦୃଷ୍ଟିରେ ରଖି ଭକ୍ତମାନେ ସୁରକ୍ଷିତ ଭାବେ ଦର୍ଶନ କରିବା ଲାଗି ସ୍ୱତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି ।
ଏହି ଅବସରରେ ଆଜି ସମସ୍ତ କାଠ ଜିନିଷ,ମେସିନ,ଇଞ୍ଜିନ୍ ଆଦକୁି ପୂଜା କରାଯିବ । କୌଣସି କାର୍ଯ୍ୟ ଆଜି ହେବ ନାହିଁ ।
ବିଷ୍ଣୁ ପୁରାଣ ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ଦେବତା ମାନଙ୍କର ବଢେଇ ବୋଲି କୁହାଯାଏ । ଏହାସହିତ ତାଙ୍କୁ ଦୁନିଆର ସର୍ବପ୍ରଥମ ଇଞ୍ଜିନିୟର ମଧ୍ୟ କୁହାଯାଏ । ସେ ଦେବତା ମାନଙ୍କ ପାଇଁ ଅନେକ କୋଠା, ଆଲିଶାନ ବଙ୍ଗଳା, ଅସ୍ତ୍ରଶସ୍ତ୍ର, ସିଂହାସନ ଆଦି ନିର୍ମାଣ କରିଥିଲେ ।