ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ଆୟୋଜିତ ହେଉଥିବା ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିଛନ୍ତି । ଏହି ବୈଠକରେ ଯୋଗ ଦେବା ନିମନ୍ତେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଆସିଛନ୍ତି । ତେଣୁ ଅତିଥିମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଏହି ମଧ୍ୟାହ୍ନ ଭୋଜନ ସମୟରେ ଗୋଟିଏ ଟେବୁଲରେ ଏକାଠି ହେବେ ଶାହା, ନବୀନ, ମମତା, ଓ ନୀତିଶ ।
ମଧ୍ୟାହ୍ନ ଭୋଜନରେ ଆପ୍ୟାୟତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସକୁ ଯିବେ ଶାହା । ସେଠାରେ ତାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଯୋଗ ଦେବା ସହ ଏକାଠି ମଧ୍ୟାହ୍ନ ଭୋଜନ କରିବେ । ଏହି ମଧ୍ୟାହ୍ନ ଭୋଜନରେ ପରସା ଯିବାକୁ ଥିବା ଖାଦ୍ୟକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି । ସୂଚନାନୁଯାୟୀ, ସମସ୍ତ ଖାଦ୍ୟକୁ ଘରୋଇ ପ୍ରଣାଳୀରେ ପ୍ରସ୍ତୁତ କରାଯିବାକୁ ଥିବା ବେଳେ ଏଥିରେ ଭାତ, ଡାଲି, ରୁଟି, ବାଇଗଣ ଭଜା, ଆଳୁ ମଟର ମସଲା, ମାଛ ବେସର, ପାମ୍ପଡ, ଦହି, ରାଇତା, ଟମାଟୋ ଚଟଣି, ଗୁଚି, ପନିର, ବୁନ୍ଦି ରାଇତା, ଛେନା ପୋଡ ଓ ରସମଲାଇ ଆଦି ସ୍ୱାଦିଷ୍ଟ ଖାଦ୍ୟ ପରସା ଯିବ । ଗୋଟିଏ ଟେବୁଲରେ ବସି ଶାହା, ନବୀନ, ମମତା, ନିତିଶ ଏକାଠି ଭୋଜନ କରୁଥିବାରୁ କିଛି ରାଜନୈତିକ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହା ଏକ ଔପଚାରିକତା ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।