କଥା ରଖିଲେ କମଲନାଥ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ଚାଷୀଙ୍କୁ ଖୁସ କରିଛନ୍ତି ନୂଆ ସିଏମ୍ । ରାଜ୍ୟରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷିଋଣକୁ ଛାଡ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବାକୁ ପ୍ରତିଶୃତି ଦେଇଥିବା ବେଳେ ଆଜି ଶପଥ ଗ୍ରହଣ ପରେ ପରେ ତାହା କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ ।
ମଧ୍ୟପ୍ରଦେଶରେ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷିଋଣକୁ ଛାଡ କରାଯାଇଛି । ଏନେଇ କୃଷିଋଣ ଛାଡ ଫାଇଲରେ ଦସ୍ତଖତ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ କମଲନାଥ । କମଲନାଥଙ୍କ ଏହି ପଦକ୍ଷେପ ସାରା ଦେଶର ରାଜନୈତିକ ପାଣିପାଗକୁ ବଦଳାଇଦେଇଛି । ଭାରତୀୟ ରାଜନୀତିରେ କୌଣସି ମୁଖ୍ୟମନ୍ତ୍ରୀ ଶପଥନେବା ପରେ ପରେ ସେହିଦିନ ଏମିତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ହୁଏତ ବିରଳ କିମ୍ବା ବିଲକୁଲ ନହୋଇ ପାରେ । କିନ୍ତୁ ନିର୍ବାଚନ ପୂର୍ବରୁ ଲୋକଙ୍କୁ କଂଗ୍ରେସ ଯେଉଁ ପ୍ରତିଶୃତି ଦେଇଥିଲା, ତାହାକୁ ପୁରା କରି ଜଣେ ପ୍ରକୃତ ଜନ ପ୍ରତିନିଧି ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଦେଶକୁ ଜଣାଇ ଦେଇଛନ୍ତି କମଲନାଥ ।
ଏହା କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ନିର୍ବାଚନ ସମୟରେ ସମଗ୍ର ଦେଶରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି । ଯଦି କଂଗ୍ରେସର ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରୁ ମାତ୍ର ଦୁଇ ଚାରି ଘଂଟା ଭିତରେ ଏମିତି ବଡ ପଦକ୍ଷେପ ନେଇ ପାରୁଛି, ତେବେ ଅନ୍ୟ ରାଜ୍ୟମାନଙ୍କରେ କଂଗ୍ରେସ ସରକାରକୁ ଆସିବା ଦ୍ୱାରା ଲୋକେ ହିଁ ଫାଇଦା ପାଇବେ ।