ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ମହାନଦୀ ଜଳକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ସବୁବେଳେ ଲାଗିରହିଛି ବିବାଦ । ମଝିରେ ଏହି ବିବାଦ ଥଣ୍ଡା ପଡିଥିଲେ ମଧ୍ୟ ପୁନର୍ବାର କଳିକୁ ଡାକିଛି ଛତିଶଗଡ । କାରଣ ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଜୋତିର୍ମୟ ରଥଙ୍କ ସୂଚନା ଅନୁଯାୟୀ ପୁଣିଥରେ ପାଣି ଛାଡିବା ହ୍ରାସ କରିଛି ଛତିଶଗଡ ।
ଛତିଶଗଡର ମିରୋନିର ୮୧ଟି ଗେଟରୁ ମାତ୍ର ୬ଟି ଖୋଲା ରହିଛି । ବସନ୍ତପୁର ବ୍ୟାରେଜର ୮ଟି ଗେଟ୍ ଖୋଲା ରହିଥିବା ବେଳେ ବାକି ସବୁ ବନ୍ଦ ରହିଛି। ସମୋଡ଼ା ବ୍ୟାରେଜର ୪୫ଟି ଗେଟ୍ ବନ୍ଦ କରାଯାଇଛି। ସେଥିପାଇଁ ହୀରାକୁଦକୁ ଜଳ ପ୍ରବାହ କମୁଛି। ଡ୍ୟାମ୍କୁ ବର୍ତ୍ତମାନ ସେକେଣ୍ଡକୁ ମାତ୍ର ୧୨ ହଜାର ଘନଫୁଟ ପାଣି ପଶୁଛି ଏବଂ ୧୬ ହଜାର ଘନଫୁଟ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ବର୍ଷା କମୁଥିବାରୁ ଅଣମୌସୁମୀ ସମୟରେ ଏହାର ପ୍ରଭାବ ପଡ଼ିବ।” ଏଭଳି ହେଲେ ମହାନଦୀରେ ଜଳସ୍ତର କମିବା ସହ ଓଡିଶାରେ ଜଳର ଅଭାବ ପରିଲକ୍ଷିତ ହେବ । ଯାହାକୁ ଆଖିରେ ରଖି ଛତିଶଗଡକୁ ଆନୁଷ୍ଠାନିକ ଭାବେ ଅଭିଯୋଗ କରାଯାଇଥିବା ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।