ପୁରୀ (ଏଟିଆର ବ୍ୟୁରୋ) ; କାର୍ତ୍ତିକ ମାସ ଚାଲିଥିବାରୁ ପୁରୀରେ ହବିଷ୍ୟାଳିଙ୍କ ଭିଡ ଲାଗିଛି । ଯାହାର ଫାଇଦା ଉଠାଉଛନ୍ତି ଅବଢ଼ା ବେପାରୀ । ଗହଳିକୁ ଦେଖି ଦର ଉଚ୍ଚା ହେଉଛି । ବରାଦ ଦେଇଥିବା ଭକ୍ତମାନେ ଭୋଗ ସରିବା ମାତ୍ରେ ପହଁଞ୍ଚିଲେ ମଧ୍ୟ ୨୦୦ ଟଙ୍କାରେ କିଣିବାକୁ ପଡୁଛି । ଯାହାକି ପୂର୍ବରୁ ମାତ୍ର ୧୦୦ ଟଙ୍କାରେ ମିଳୁଥିଲା । ଗରମ ଥିଲେ ଅବଢ଼ା ଦର ଦୁଇଗୁଣା ଦେବାକୁ ପଡୁଛି ଭକ୍ତଙ୍କୁ । ତେବେ ଅବଢ଼ା ଥଣ୍ଡା ହେବା ପରେ ଦର ଟିକେ କମିଯାଉଛି । ମାସେ ତଳେ ୮୦ଟଙ୍କାରେ ଅବଢ଼ା,ଡାଲି ଏବଂ ଗୋଟିଏ ତରକାରି ମିଳୁଥିଲା । ଯାହାକୁ ଜଣେ ପେଟପୁରା ଖାଇପାରୁଥିଲା । ମାତ୍ର ଏବେ ସେତିକି ଜିନିଷ ପାଇଁ ୧୩୦ ଟଙ୍କା ଦେଲେ ମଧ୍ୟ ପେଟ ପୁରୁନି । ଠାକୁରଙ୍କ ଦର୍ଶନ କରିବା ପରେ ଅବଢ଼ା ଖାଇବା ପାଇଁ ସମସ୍ତଙ୍କ ଇଛା ହୋଇଥାଏ । ଏଣୁ ସମସ୍ତେ ଆନନ୍ଦ ବଜାରକୁ ଯାଇଥାନ୍ତି । ମହାପ୍ରସାଦ ଖାଇଲେ ପୂଣ୍ୟ ମିଳେ ଯାହାକୁ ସମସ୍ତେ ବିଶ୍ୱାସ କରନ୍ତି ତେବେ ଏହି ଭାବବେଗର ଫାଇଦା ଉଠାଇ ଅବଢ଼ାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି ବେପାରୀ ।
ଏବେ ଆନନ୍ଦ ବଜାରକୁ ଯିବା ପାଇଁ ଭକ୍ତ ଡରୁଛନ୍ତି । କାରଣ ଏଠାରେ ମାଳ ମାଳ ଦଲାଲ ବୁଲୁଛନ୍ତି । ଏବଂ ଅବଢ଼ା କଳାବଜାରି କରୁଛନ୍ତିି । ତେବେ ଭକ୍ତଙ୍କ ଶୋଷଣକୁ ରକ୍ଷା କରିବା ପାଇଁ ନିୟମ ଲାଗୁ ହୋଇଥିଲା । ଆନନ୍ଦବଜାରରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିବାର ନିଷ୍ପତ୍ତି ନିଆ ଯାଇଥିଲା । ଏବଂ ପୋଲିସ କର୍ମଚାରୀ ମଧ୍ୟ ଆନନ୍ଦ ବଜାରରେ ନିୟୋଜିତ ହେବା ପାଇଁ କୁହାଯାଇଥିଲେ ମଧ୍ୟ ଏଠାରେ କେହି ରହୁନାହାଁନ୍ତି । ସେପଟେ ମହାପ୍ରସାଦ ଦର ମଧ୍ୟ ଧାର୍ଯ୍ୟ ହୋଇପାରୁନି । ଗତମାସରେ ତରବରିଆ ଭାବରେ ଏହି ଦର ଲାଗିଥିଲା । ତେବେ ଏହା ଅଭିଯୋଗ କରିବା ପରେ ମଧ୍ୟ ବଦଳି ନାହିଁ ।