ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ହେଉଛି ପବିତ୍ର ମହାଶିବରାତ୍ରି । କୋଭିଡ କଟକଣା ମଧ୍ୟରେ ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ପାଳନ କରାଯାଉଛି ଜାଗରଯାତ୍ର । କିନ୍ତୁ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । କୋଭିଡ କଟକଣା ମଧ୍ୟରେ ଧବଳେଶ୍ୱର ପୀଠରେ ମହାଶିବରାତ୍ରି ପାଳନ ହେବ ।
ସେହିପରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ ପରିଲିକ୍ଷିତ ହୋଇଛି । କୋଭିଡ କଟକଣା ମଧ୍ୟରେ ସୁଚାରୁରୁପେ ଜାଗର ଯାତ୍ରାକୁ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଟକ ପ୍ରସିଦ୍ଧ ପରମହଂସ ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିଥିବା ବେଳେ ଭକ୍ତମାନେ ଖାଲି ଦ୍ୱୀପ ଜାଳିବା ଲାଗି ଅନୁମତି ମିଳିନଥିବା ହେତୁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀ ଲୋକନାଥ ପୀଠରେ କଟକଣା ଭିତରେ ହେବ ଜାଗର ଯାତ୍ରା । ଭକ୍ତମାନେ ମାସ୍କ ପିନ୍ଧିବା ,ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ କରାଯାଇଛି ।
ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ, ୧୦ଟା ପର୍ୟ୍ୟନ୍ତ ଚାଲିବ ସାଧାରଣ ଦର୍ଶନ । ରାତ୍ରି ୩ଟାରେ ମହାଦୀପ ଉଠିବାକୁ ନିର୍ଘଣ୍ଟ ହୋଇଛି ।