ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଭୁବନେଶ୍ୱରରେ ୭ ଦିନରେ ୫ ହଜାର ଟେଷ୍ଟିଂ କରାଯିବା ପାଇଁ ଗତକାଲଇ ଘୋଷଣା ହେବା ପରେ ଆଜି ତାହା କାର୍ଯ୍ୟକାରୀ ହୋଇଛି । ଆଜି ଭୁବନେଶ୍ୱର ପାଇଁ ୧୩ ସ୍ପେଶାଲ ଟିମ ଗଠନ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ଟିମ ଗଠନ କରାଯାଇଛି । ପ୍ରତି ଟିମ୍ରେ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣ କର୍ମଚାରୀ ରହିଛନ୍ତି । ଏହି ଟିମରେ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀଙ୍କୁ ସାମିଲ୍ ହୋଇଛନ୍ତି। ଡାକ୍ତର ଏହି ଟିମ୍ ପରିଚାଳନା ଦାୟିତ୍ବରେ ରହିଛନ୍ତି ।
ଏହି ଟିମ ୨ ଟି ସିପ୍ଟରେ କାର୍ଯ୍ୟ କରିବେ ପ୍ରଥମ ସିପ୍ଟ ସକାଳ ୮ ରୁ ଦିନ ୧୧ ଓ ଅପରାହ୍ନରେ ୪ ଟାରୁ ୬ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ସୂଚନାଯୋଗ୍ୟ କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟସ୍ପଟ ଜିଲ୍ଲା ଭାବେ ଘୋଷଣା କରିବା ପରେ ଏବେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରକୁ ଅଧିକ ଗରୁତର ଭାବେ ନେଇଛନ୍ତି । ରାଜଧାନୀରେ ଆସନ୍ତା ୭ ଦିନ ମଧ୍ୟରେ ୫ ହଜାର ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ସହରର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ନମୂନା ସଂଗ୍ରହ କରାଯିବ । ସେହିଭଳି ମୋବାଇଲ ଭ୍ୟାନ ବୁଲିବୁଲି ମଧ୍ୟ ସାମ୍ପଲ ଟେଷ୍ଟ କରିବ । ଏଥିରେ ୪ଟି ବର୍ଗର ଲୋକଙ୍କୁ ଚୟନ କରାଯାଇ ସାମ୍ପଲ ନିଆଯିବ । ଟ୍ରାଭେଲ୍ ହିଷ୍ଟ୍ରିଥିବା ଲୋକ ଏବଂ ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ ନିଆଯିବ । ଏଥି ସହ ସ୍ବାସ୍ଥ୍ୟକର୍ମୀ, ପୋଲିସ ଓ ପରିମଳ କର୍ମଚାରୀଙ୍କ ନମୂନା ପରୀକ୍ଷା ହେବ । ୬୦ବର୍ଷରୁ ଅଧିକ ବୟସ୍କ ଏବଂ ସ୍ବାସ କିମ୍ବା ସର୍ଦ୍ଦି ଜନିତ ରୋଗ ଥିବା ଲୋକଙ୍କର ମଧ୍ୟ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ଯେଉଁମାନେ ଏଥିରେ ସହଯୋଗ ନକରିବେ ସେମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।