ଆନନ୍ଦପୁର(ଏଟିଆର ବ୍ୟୁରୋ):ଗତକାଲି ରାତିରେ ତାମିଲନାଡୁ ପୋଲିସ ଚୋରି କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଉଠାଇ ନେଇଛି । ଚେନ୍ନାଇରୁ ସୁନା ଗହଣା, ଟଙ୍କା ଓ ବିଦେଶୀ ମୁଦ୍ରା ଚୋରି କରି ଦୁଇ ଜଣ ଯୁବକ ଓଡିଶା ଆସି ଯାଇଥିଲେ । ସୂଚନା ଅନୁସାରେ ଚେନ୍ନାଇର ଲିକାୟତ ଅଲିଙ୍କ ଘରେ ଶିବ ନାୟକ ଓ ଗୌରାଙ୍ଗ ଜେନା ସହାୟକ ଭାବେ କାମ କରୁଥିଲେ । ଲିକାୟତ ଙ୍କ ପରିବାର ବହୁ ସମୟ ବିଦେଶରେ ରହୁଥିଲେ । ଏହାର ସୁଯୋଗ ନେଇ ଲିକାୟତଙ୍କ ଘରେ କେହି ନଥିବା ସମୟରେ ଶିବ ଓ ଗୌରାଙ୍ଗ ଟାଙ୍କା, ସୁନା ଓ ବିଦେଶୀ ମୁଦ୍ରା ପାଖାପାଖି ୧୦ଲକ୍ଷ ଟଙ୍କାର ଜିନଷ ଚୋରି କରି ସେଠାରୁ ଫେରାର ହୋଇ ଯାଇଥିଲେ ।
ଲିକାୟତ ଏହାକୁ ନେଇ ତାମିଲନାଡୁ ପୋଲିସରେ ଅଗଷ୍ଟ ୧୪ରେ ଅଭିଯୋଗ କରିଥିଲେ । ତାମିଲନାଡୁ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଗୌରାଙ୍ଗ ଓ ଶିବଙ୍କ ଘର କେନ୍ଦ୍ରପଡା ଜିଲ୍ଲାର ଘସିପୁର ଅଞ୍ଚଲରେ ବୋଲି । ତେବେ ତାମିଲନାଡୁ ପୋଲିସ ଗୌରାଙ୍ଗକୁ ଧରିବା ପାଇଁ ପୂର୍ବରୁ ଥରେ ଚେଷ୍ଟା କରିଥିଲା । ହେଲେ ତାମିଲନାଡୁ ପୋଲିସ ଘସିପୁର ଥାନାକୁ ନଜଣାଇ ଗିରଫ କରିଥିବାରୁ ଗାଁ ଲୋକ ମାନେ ଗୌରାଙ୍ଗକୁ ଛଡାଇ ନେଇଥିଲେ । ଏହା ପରେ ଗତକାଲି ରାତିରେ ଘସିପୁର ପୋଲିସ ଓ ତାମିଲନାଡୁ ପୋଲିସ ଶିବ ଓ ଗୌରାଙ୍ଗଙ୍କ ଘରେ ଚଢାଉ କରିଥିଲେ । ତାମିଲନାଡୁ ପୋଲିସ ଗୌରାଙ୍ଗକୁ ଗିରଫ କରିଥିବା ବେଳେ ଶିବ ଫେରାର ହୋଇ ଯାଇଛି । ତେବେ ଗୌରାଙ୍ଗ ପାଖରୁ ଚୋରି ହୋଇଥିବା କୌଣସି ଜିନିଷ ମିଳିପାରି ନାହିଁ । ଗୌରାଙ୍ଗକୁ ଗିରଫ କରି ତାମିନାଡୁ ପୋଲିସ ଚେନ୍ନାଇ ନେଇଯିବାର ସୂଚନା ମିଳିଛି ।