ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ସଙ୍କଟ । ଏହାକୁ ମୁକାବିଲା କରିବା ପାଇଁ ଲାଗିପଡିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଇତିମଧ୍ୟରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । କାରଣ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ଏକମାତ୍ର ସୁରକ୍ଷିତ ସ୍ଥାନ ହେଉଛି ଘର । କିନ୍ତୁ ଯଦି ଆପଣ ଜରୁରୀ କାମ ପାଇଁ ଘରୁ ବାହାରକୁ ବାହାରୁଛନ୍ତି ତେବେ ମାସ୍କ ପିନ୍ଧିବା ନିହାତି ଜରୁରୀ । ଏହି ପ୍ରକ୍ରିୟା ରାଜ୍ୟରେ ଆଜି ସକାଳ ୭ଟାରୁ ଲାଗୁ ହୋଇଯାଇଛି । ଏସଆରସିଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଘରୁ ବାହାରକୁ ବାହାରିଲା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଘରୁ ପାଦ କାଢିଲା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିପାଇଁ କୌଣସି ଡାକ୍ତରଖାନା ମାସ୍କ ବା ମେଡିସନ୍ ଷ୍ଟୋରର ମାସ୍କ ଆବଶ୍ୟକ ନାହିଁ । ଆପଣ ଘର ତିଆରି ୨ ପରସ୍ତ ମାସ୍କ ବି ବ୍ୟବହାର କରିପାରିବେ । ନଚେତ୍ ଆପଣ ମୁହଁକୁ ଗୋଢାଇବା ପାଇଁ ରୁମାଲ, ଗାମୁଛା, ସ୍କାର୍ଫ ଏବଂ ଓଢଣୀକୁ ମୁହଁରେ ବାନ୍ଧି ବାହାରକୁ ଯାଇପାରିବେ । ଏହାପରେ ବାହାରୁ ଫେରିବା ପରେ ସେହି ମାସ୍କକୁ ଗରମ ପାଣିରେ ଧୋଇ ଖରାରେ ଶୁଖାନ୍ତୁ । କିନ୍ତୁ ୨ ବର୍ଷରୁ କମ୍ ଶିଶୁ, ଶ୍ୱାସ ରୋଗୀଙ୍କୁ ମାସ୍କ ଲଗାଇବାକୁ ମନା କରାଯାଇଛି । ଏନେଇ କରୋନା ମୁଖପାତ୍ର ସଚିବ ସୁବ୍ରତ ବାଗଚୀ କହିଛନ୍ତି ।
ଅନ୍ୟପଟେ ଏହି ନିୟମକୁ କଡାକଡି କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହାବ୍ୟତିତ ଯଦି କୌଣସି ବ୍ୟକ୍ତି ଏହି ନିୟମ ନମାନ୍ତି ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।