ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା କରିବା ପାଇଁ ଜୁନ ଶେଷ ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର ଓ ରବିବାର ଦିନ ୧୧ଟି ଜିଲ୍ଲାରେ ସଟ୍ ଡାଉନ୍ କଟକଣା ଜାରି କରିଛନ୍ତି । ତେବେ ସଟ୍ ଡାଉନ୍ ବେଳେ ୧୧ ଜିଲ୍ଲାରେ ମାଟ୍ରିକ ଖାତା ଦେଖା ହେବ ନାହିଁ । ମାତ୍ର ଅନ୍ୟ ସବୁ ଜିଲ୍ଲା ମାନଙ୍କରେ ଶନିବାର ଓ ରବିବାର ଦିନ ଖାତା ଦେଖା ଜାରି ରହିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯୋଗ୍ୟ ଚଳିତ ବର୍ଷ ରାଜ୍ୟରେ ସାଢେ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ସରିବା ପରେ କରୋନା ମହାମାରୀ ବ୍ୟାପିବାରୁ ଖାତା ଦେଖା ହୋଇ ପାରି ନଥିଲା । ଏହା ପରେ ଗତ ମାସ ୨୬ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ କରାଯାଇଛି । ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପୂର୍ବରୁ ସୂଚନା ଦେଇଛନ୍ତି ।
ତେବେ ବର୍ତ୍ତମାନ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସର ଶେଷ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଖୋର୍ଦ୍ଧା ,କଟକ, ପୁରୀ, ଗଞ୍ଜାମ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବଲାଙ୍ଗୀର ଓ ବାଲେଶ୍ୱରରେ ସଟ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସମୟରେ ଜରୁରୀ କାଳୀନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କୁ ଛାଡି ଦେଲେ ଅନ୍ୟ କାହାକୁ ଘରୁ ବାହାରିବା ପାଇଁ ଅନୁମତି ଦିଆଯାଇ ନାହିଁ । ଏହି ପରିପେକ୍ଷୀରେ ୧୧ ଟି ଜିଲ୍ଲାରେ ଶନିବାର ଓ ରବିବାର ଦିନ ମାଟ୍ରିକ ଖାତା ଦେଖା ହେବ ନାହିଁ ବୋଲି ଜଣାପଡିଛି ।