ଯାଜପୁର(ଏଟିଆର ବ୍ୟୁରୋ): ସରକାରୀ ଯୋଜନା ମାନଙ୍କରେ ସବୁ ବେଳେ କିଛି ନା କିଛି ବିଭ୍ରାଟ ଦେଖିବାକୁ ମିଳିଥାଏ । କେତେ ବେଳେ କେଉଁଠି ବୃଦ୍ଧା ମାନେ ଭତ୍ତା ପାଇବାରେ ଡେରି ହୁଏତ ଆଉ କେଉଁଠି ସବୁ କାଗଜ ପତ୍ର ଥାଇକିବି ଗରିବ ଲୋକ ଟିଏ ଘର ଖଣ୍ଡ ପାଇ ନଥାଏ । ତେବେ ରାଜ୍ୟ ସରକାର ସରକାରୀ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି । ଏହାକୁ ନେଇ ବହୁ ଦୁର୍ନୀତି ଆଗରୁ ଆମ ସାମ୍ନାକୁ ଆସିଛି । ଏହା ଭିତରେ ଆଉ ଏକ ଅଭିଯୋଗ ଅସିଛି ଯାହାକୁ ନେଇ ବର୍ତ୍ତମାନ ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । ଯାଜପୁର ଜିଲ୍ଳା ମଧ୍ୟାହ୍ନ ଭୋଜନ ଖାଇ ୫୦ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଥିବାର ଜଣା ପଡିଛି ।
ସୂଚନା ଅନୁସାରେ ଯାଜପୁର ଜିଲ୍ଲା ହରିଦାସପରୁ ପଞ୍ଚାୟତ ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଇ ୪୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ମିଳି ଥିବା ସୂଚନା ଅନୁଯାଇ ମଧ୍ୟାହ୍ନ ଭୋଜନର ଭାତରେ ଏକ ମଲା ଝିଟିପିଟି ଦେଖିବାକୁ ମିଳି ଥିଲା । ଝିଟିପିଟିକୁ କଡା ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଖାଇବାକୁ ଦିଆ ଯାଇଥିଲା । ଯାହାକୁ ଖାଇ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଅନ୍ୟ ପଟେ ଧର୍ମଶାଳା ବଡକାଏମା ବମ୍ପୁ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଖାଇବାକୁ ଦିଆ ଯାଇଥିବାର ଅଭିଯୋଗ ହୋଇଛି । ଯାହାକୁ ଖାଇ ୧୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ଏହାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଅଷନ୍ତୋଶ ଦେଖିବାକୁ ମିଳିଛି ।