ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ଚାଷୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ଆରମ୍ଭରୁ ହିଁ ବିବାଦ ଘେରରେ ରହିଥିଲା । ପ୍ରକୃତ ହିତାଧିକାରୀଙ୍କ ନାଁ ତାଲିକାରେ ନଥିବା ବେଳେ ଦଳୀୟ କର୍ମୀଙ୍କ ନାମ ଆଗରେ ରହିଥିଲା । କେଉଁଠି ପ୍ରକୃତ ଚାଷୀ ଟଙ୍କା ପାଇନଥିବା ବେଳେ ଆଉ କେଉଁଠି ଗୋଟିଏ ପରିବାରର ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ଅଭିଯୋଗ ହୋଇଛି । ତେବେ ସେ ଯାହାବି ହେଉ ଏହି କାଳିଆ ଯୋଜନାକୁ ନେଇ ପୂର୍ବରୁ ମଧ୍ୟ ବହୁ ବାଦ ବିବାଦ ସୃଷ୍ଟି ହୋଇଥିଲା । ଏବେ ପୁଣିଥରେ କାଳିଆ ଯୋଜନାରେ ଘୋଟାଲା ହୋଇଥିବା ପଦାରେ ପଡିଛି । ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଯୋଡି ଗ୍ରାମ ପଞ୍ଚାୟତର ରାଉଳ ସାହିରେ ଘୋଟାଲା ହୋଇଥିବା ନଜରକୁ ଆସିଛି ।
ସୂଚନା ଅନୁଯାୟୀ ରାଉଳ ସାହିର ମିନା ସ୍ୱାଇଁ ନାମକ ଜଣେ ହିତାଧିକାରୀଙ୍କ ନାମ ୨୨ଥର ସିରିଏଲରେ ରହିଛି । ଏବଂ ବାରମ୍ବାର ତାଙ୍କ ଖାତାକୁ ଟଙ୍କା ମଧ୍ୟ ଆସିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାର ଘୋଷଣା କରିଥିବା ଯେଜନାରେ କଣ ପ୍ରକୃତ ହିତାଧିକାରୀ ଉପକୃତ ହେଉଛନ୍ତି କି? ଏହାକୁ ବାଟ ମାରଣା କରୁଛି କିଏ? ମୁଖ୍ୟତଃ ଗ୍ରାମ ପଞ୍ଚାୟତ ମାନଙ୍କରେ ସରପଞ୍ଚ ଏବଂ ପଞ୍ଚାୟତର କିଛି କର୍ମୀ ନିଜ ଲୋକ ଦେଖି ଏଭଳି କରୁଥିବା ଅଭିଯୋଗ ହେଉଛି । ବାରମ୍ବାର ଟଙ୍କା ଆସିବା ପ୍ରସଙ୍ଗ ସରପଞ୍ଚଙ୍କୁ ପଚାରିବା ପରେ ସେ ଏହାର କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିବା ବେଳେ ବ୍ଳକ ଅଧ୍ୟକ୍ଷ କହିଛନ୍ତି ଯଦି ଏଭଳି ସତରେ ହୋଇଥାଏ ତେବେ ସେହି ଆକାଉଣ୍ଟକୁ ସିଜ କରାଯିବ ।
ତେବେ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି ସତରେ କଣ ଫେଲ ମାରିଲା କାଳିଆ ଯୋଜନା । ପ୍ରକୃତ ହିତାଧିକାରୀଙ୍କ ନାମ ଲିଷ୍ଟରୁ କଟି ଯାଇଥିବା ବେଳେ କେହି କେହି ବାରମ୍ବାର ଟଙ୍କା ପାଉଛନ୍ତି । ପୂର୍ବରୁ ମଧ୍ୟ ନେତା ମନ୍ତ୍ରୀଙ୍କ ନାମ ଏହି ତାଲିକାରେ ରହିଥିବା ଲୋକ ଲୋଚନକୁ ଆସିଥିଲା । ନିର୍ବାଚନ ପୂର୍ବରୁ ଚାଷୀଙ୍କ ଉପରେ ସମସ୍ତଙ୍କ ନଜର । ଏଣୁ କ୍ଷମତାରେ ଥିବା ସରକାର ଯୋଜନା ଘୋଷଣା କରୁଥିବା ବେଳେ ବିରୋଧୀମାନେ ପ୍ରତିଶ୍ରୃତିର ପାହାଡ ଠିଆ କରୁଛନ୍ତି ।