ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶେଷରେ ସତ ମାନିଲେ ରାଜ୍ୟ ସରକାର । ବେରୋଜଗାରୀରେ ଓଡିଶା ଦେଶରେ ୧ନମ୍ବର ଅଟେ । ଆଜି ବିଧାନସଭାରେ ବଜେଟ ଅଧିବେଶନ ଦ୍ୱିତୀୟ ଦିନ ବସିଥିବା ବେଳେ ଏହି ପରି କିଛି କଥା କହିଛନ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାୟକ । ସୂଚନାନୁଯାୟୀ ଆଜି ସକାଳୁ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀଙ୍କ ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ରଖିଥିଲେ । ଏହାପରେ ପ୍ରଶ୍ନକାଳରେ ଓଡିଶାରେ ବେରୋଜଗାରୀଙ୍କ ପ୍ରସଙ୍ଗ ଉଠିଥିଲା ।
ବିରୋଧୀ ଦଳମାନେ ରାଜ୍ୟରେ ଦିନକୁ ଦିନ ବଢୁଥିବା ବେକାରୀ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଓଡିଶାରେ ବେରୋଜଗାର ସ୍ଥିତି ସର୍ବାଧିକ ୭.୧ ପ୍ରତିଶତ ବୋଲି କହିଥିଲେ । ଏହା ସହ ସେ କହିଛନ୍ତି, ସହରାଞ୍ଚଳରେ ବେରୋଜଗାର ହାର ୮.୩ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୬.୯ ପ୍ରତିଶତ ରହିଛି । ରାଷ୍ଟ୍ରମନ୍ତ୍ରୀ ନିଜର ଉତ୍ତର କେନ୍ଦ୍ର ଶ୍ରମ ମନ୍ତ୍ରାଳର ରିପୋର୍ଟ ଆଧାରରେ ପ୍ରଦାନ କରିଛନ୍ତି । ୨୦୧୮-୧୯ ବର୍ଷରେ ମାତ୍ର ୧୮ଜଣ ଡିଗ୍ରୀଧାରୀ ଚାକିରି ପାଇଛନ୍ତି । ସେହିପରି ୨୦୧୮-୧୯ରେ ଡିପ୍ଲୋମାରେ ୨୩ ଓ ଆଇଟିଆଇରେ ୧୩୮ଜଣଙ୍କୁ ନିଯୁକ୍ତି ମିଳିଥିବା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।