କଟକ ( ଏଟିଆର ବ୍ୟୁରୋ): ସାଂସଦ ଅନୁଭବଙ୍କ ନାମରେ ସାମ୍ବାଦିକା ଆଣିଥିବା ଅଭିଯୋଗ ମାମଲାରେ ଆଜି କଟକ ଜେଏମଏଫସି କୋର୍ଟରେ ଅଭିଯୋଗ କାରିଣୀଙ୍କ ବୟାନ ରେକର୍ଡ କରାଯାଇଛି । କୋର୍ଟରେ ୧୬୪ ଧାରାରେ ବୟାନ ରଖିଛନ୍ତି ମହିଳା ସାମ୍ବାଦିକା । ପୁରୀଘାଟ ପୋଲିସ ଓ ତଦନ୍ତକାରୀଙ୍କ ଉପସ୍ଥତିରେ ବୟାନ ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇଙ୍କ ନାମରେ କଟକରୁ ଜଣେ ସାମ୍ବାଦିକା ଅଭିଯୋଗ ଆଣିଥିଲେ ।
ସେ ସାମ୍ବାଦିକତା କରିବା ପାଇଁ ଇଣ୍ଟନସିପ କରିବାକୁ ଯିବା ରାସ୍ତାରେ ଅନୁପ୍ରାସ ମହାନ୍ତି ତାଙ୍କୁ କମେଣ୍ଟ କରୁଥିଲେ । ସେ ଏନେଇ ଅନୁଭବଙ୍କ ପାଖକୁ ଅଭିଯୋଗ କରିବାକୁ ଯାଇଥିବା ସମୟରେ ଅନୁଭବ ଏବଂ ତାଙ୍କ ପତ୍ନୀ ଗାଳି ଗୁଲଜ କରିଥିବା ଅଭିଯୋଗ ଆଣିଥିଲେ । ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା ।
ମାତ୍ର ଅଭିଯୋଗ ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ନେଇ ସେ ଗତ ୧୪ ତାରିଖରେ ପୁରୀଘାଟ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ପୋଲିସ ତାଙ୍କ ଏଫଆଇଆର କପି ବଦଳାଇ ଦେଇଥିବା ଅଭିଯୋଗ ମଧ୍ୟ କରିଥିଲେ । ଅନ୍ୟପଟେ ଏହି ମାମଲାକୁ ସେତେବେଳ ଖଣ୍ଡନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ତାଙ୍କ ନାଁକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ ।