ଟିକିରି (ଏଟିଆର ବ୍ୟୁରୋ): ବଢିଚାଲିଛି ଲୁଟେରାଙ୍କ ଉତପାତ୍ । କାହାକୁ ବି ଡରୁ ନାହାଁନ୍ତି । ବେଧଡକ୍ କରିଚାଲିଛନ୍ତି ଲୁଟପାଟ୍ । ରାସ୍ତାରେ ଚାଲିବାକୁ ବି ଭୟ ଲାଗୁଛି । ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ଯାଉଥିବା ଏକ ଲୁହା ବୋଝେଇ ଟ୍ରଲରକୁ ଅଟକାଇ ଏକକାଳୀନ ୬ଜଣ ଦୁର୍ବୃତ୍ତ ଟ୍ରଲର ଡ୍ରାଇଭରଙ୍କୁ ମାରଣାତ୍ମକ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ, ଟଙ୍କା ଆଦି ଲୁଟିନେଇଥିବା ଅଭିଯୋଗ ହୋଇଛି । ଘଟଣାଟି ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ଉତ୍କଳ ଆଲୁମିନାକୁ ଯିବାବେଳେ ଘଟିଛି ।
ଖବରମୁତାବକ, ଗତ ମଙ୍ଗଳବାର ଦିନ ଭୋରୁ ଏକ ଲୁହା ବୋଝେଇ ଟ୍ରଲରଟି ରାଜସ୍ଥାନରୁ ବାହାରି ଉତ୍କଳ ଆଲୁମିନା ଯାଉଥିବା ବେଳେ କିଛି ଦୁର୍ବୃତ୍ତ ରାସ୍ତାରେ ଟ୍ରଲରକୁ ଅଟକାଇଥିଲେ । ଟ୍ରଲରଟି ଅଟକିବା ପରେ ଦୁର୍ବୃତ୍ତମାନେ ଡ୍ରାଇଭର ଏବଂ ହେଲପରକୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ତାଙ୍କ ଠାରୁ ମୋବାଇଲ ଏବଂ ଟଙ୍କା ଆଦି ଲୁଟିନେଇଥିଲେ । ଏହି ଆକ୍ରମଣରେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇ ଯିବାରୁ ହେଲପର ଗାଡି ଚଲାଇ ଆସିବା ପରେ, ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଡ୍ରାଇଭର ଏବଂ ହେଲପର ଦୁହେଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି ।