ଖୋର୍ଦ୍ଧା(ଏଟିଆର ବ୍ୟୁରୋ): ପୋଲିସ ପ୍ରଶାସନ ଦ୍ୱାରା ରାଜ୍ୟର ବିଭିନ୍ନ ଜାଗାରେ ଚେକିଙ୍ଗ ଜୋର ଦାର କରାଯାଉଛି । ଏହା ସହ ପୋଲିସ ଦିନ ରାତି ପାଟ୍ରୋଲିଙ୍ଗ କରୁଛି ବୋଲି କମିସନରେଟ ପୋଲିସ ପକ୍ଷରୁ ଦାବି କରାଯାଉଛି । ହେଲେ ଏହା ଭିତରେ କିଭଳି ଭାବେ ଡକାୟତ ମାନେ ଚୋରି କରିବାରେ ସକ୍ଷମ ହେଉଛନ୍ତି ତାହା ବର୍ତ୍ତମାନ ପ୍ରଶ୍ନବାଚି ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ କାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତ ମାନେ ଡକାୟତି କରିଛନ୍ତି । ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକଙ୍କ କହିବା ଅନୁସାରେ ଲୁଟେରା ମାନେ ଗ୍ୟାସ କଟର ମାଧ୍ୟମରେ ବ୍ୟାଙ୍କର ଝରକାକୁ କାଟି ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ । ଏହା ପରେ ଲୁଟେରା ମାନେ ବ୍ୟାଙ୍କରେ ଥିବା ଷ୍ଟ୍ରଙ୍ଗ ରୁମରେ ପଡିଥିବା ତାଲା ଭାଙ୍ଗି ଦେଇଥିଲେ ।
ଏହା ସହ ଲୁଟେରା ମାନେ ଆଣିଥିବା ତାଲା ଷ୍ଟ୍ରଙ୍ଗରୁମରେ ପକାଇ ଦେଇଥିଲେ । ତେବେ ଘଟଣା ସ୍ଥଳରେ ଜଙ୍କିଆ ଥାନା ପୋଲିସ ଓ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଗ୍ୟାସ କଟର ଓ ଗ୍ୟାସ ଟାଙ୍କି ଜବତ କରିଛି ପୋଲିସ । ତେବେ କେତେ ଟଙ୍କା ଓ ସୁନା ଚୋରି ହୋଇଛି ତାହା ଜଣା ପଡି ନାହିଁ ।