ବରଗଡ ( ଏଟିଆର ବ୍ୟୁରୋ): ଚୋରୀରୁ ବାଦ ପଡିଲେନି ଭଗବାନ । ଭଗବାନ ହେଲେ ଚୋର ଶୀକାର । ଗୋଟିଏ ଦିନରେ ୩ ଟି ମନ୍ଦିରରୁ ଚୋରୀ । ନେଇଗଲେ ଚାନ୍ଦି ମୁକୁଟ, ସୁନା ତୁଳସୀ ପତ୍ର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ସହରର ମୁଖ୍ୟ ରାସ୍ତା ନିକଟରେ ଥିବା ଲକ୍ଷ୍ମୀନାରାୟଣ, ଦୁର୍ଗା ଓ ଶିବ ମନ୍ଦିରରେ ।
ସୂଚନା ଅନୁସାରେ ଗତକାଲି ବରଗଡ ଜିଲ୍ଲା ପଦ୍ମପୁର ସହରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ଗତକାଲି କିଛି ଦୁବୃତ୍ତ ଭଗବାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚୋରୀ କରି ନେଇଛନ୍ତି । ଗତକାଲି ସନ୍ଧ୍ୟା ଆଳତି ସରିବା ପରେ ପୂଜକ ମନ୍ଦିର ପହଡ ପକାଇ ଯାଇଥିଲେ । ମାତ୍ର ଆଜି ସକାଳୁ ମନ୍ଦିରର ତାଲା ଭାଙ୍ଗି ଚୋରୀ ହୋଇଥିବା ଦେଖିବାକୁ ମିଳିଛି ।
କେବଳ ଠାକୁରଙ୍କ ଜିନିଷ ଚୋରୀ କରି ନାହାନ୍ତି ମନ୍ଦିରର ଦାନ ବାକ୍ସକୁ ମଧ୍ୟ ନେଇ ଯାଇଛନ୍ତି । ପୂଜକ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ଏହା କୌଣସି ନିଶାଡି ଗୋଷ୍ଠୀର କାମ ବୋଲି ସାଧାରଣରେ ଆଲୋଚନା ହେଉଛି । ପୋଲିସ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ ।