ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ୱର ୟୁନିଟ ୬ ଗମେଣ୍ଟ ହାଇସ୍କୁଲ ରେ ମତଦାନ କେନ୍ଦ୍ରକୁ ଏକ ନିଆରା ପ୍ରକାରରେ ପ୍ରସ୍ତୁତ କରାଯାଇଛି । ସରକାରଙ୍କ ପକ୍ଷରୁ ଅଧିକରୁ ଅଧିକ ଭୋଟରଙ୍କୁ ଭୋଟ ଦେବା ପାଇଁ ଆକୃଷ୍ଟ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାରୱାଡି ସୋସାଇଟି ଓ ଆପନୋ ପରିବାରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ନିର୍ମାଣ ହୋଇଥିବା ଏହି ମଡେଲ ବୁଥରେ ଖରାରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟର ବ୍ୟବସ୍ଥା ଠାରୁ ଆରମ୍ଭ କରି ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ମଧ୍ୟ ଦିଆଯାଉଛି । ଗରମରୁ ରକ୍ଷା ପାଇବା ପାଇଁ ୧୦୦ ଚେୟାର ପଡିବା ଭଳି ଏକ ପ୍ରକୋଷ୍ଠ ନିର୍ମାଣ କରାଯାଇଛି ଯେଉଁଠାରେ ଫ୍ୟାନର ବ୍ୟବସ୍ଥା ରହିଛି । ଲୋକମାନେ କିଭଳି ଗରମରୁ ଟିକେ ଆରାମ ପାଇବେ ସେଥିଲାଗି ସପୂର୍ଣ୍ଣ ଦୃଷ୍ଟି ଦିଆଯାଇଛି । ରାସ୍ତା ଠାରୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଭୋଟରଙ୍କ ଚାଲିବା ପାଇଁ ତଳେ କାରପେଟ ପକାଯାଇଛି । ଏମିତି କି ଭୋଟ ଦେଇ ସାରିବା ପରେ ଭୋଟର ଫଟୋ ଉଠାଇବା ପାଇଁ ସେଲଫିଜୋନ ମଧ୍ୟ ତିଆରି କରାଯାଇଛି । ଯାହା ଭୋଟରଙ୍କୁ ବେଶ ଉତ୍ସାହିତ କରୁଛି ଭୋଟ କେନ୍ଦ୍ରକୁ ଯିବା ପାଇଁ ।
ଗମେଣ୍ଟ ହାଇ ସ୍କୁଲରେ ହୋଇଥିବା ୪୩, ୪୪, ୪୫ ନଂ ବୁଥକୁ ମଡେଲ ବୂୁଥ ଭାବେ ତିଆରି କରାଯାଇଛି । ଯେଭଳି ଗଣତନ୍ତ୍ରର ଏହି ମହାପର୍ବରେ ଅଧିକରୁ ଅଧିକ ମତଦାନ ହେବ, ଅଧିକରୁ ଅଧିକ ଭୋଟର ଭୋଟ କେନ୍ଦ୍ରକୁ ଆସିବାକୁ ଉତ୍ସାହିତ ହେବେ ସେଥିଲାଗି ସରକାରଙ୍କ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଆପନୋ ପରିବାରର ସଭାପତି କମଲ ଚନ୍ଦୁକା, ଉପସଭାପତି ଆଶିଷ ରୁଙ୍ଗଟା ସେଠାରେ ଉପସ୍ଥିତ ରହି ସମସ୍ଥ କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ଆପନୋ ପରିବାର ଓ ମାରୱାଡି ସୋସାଇଟିର ଅନ୍ୟାନ୍ୟ କର୍ମୀ ମାନେ ମଧ୍ୟ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ।