ଭୁବନେଶ୍ୱର ( ଏଟିଆର ବ୍ୟୁରୋ): “ମା’’ ଖାଲି ଡାକଟିଏ ନୁହେଁକି ଶବ୍ଦଟିଏ ନୁହେଁ । ମା ହେଉଛି ଆବେଗ ଓ ଭଲପାଇବାର ଏକ ସୀମାହୀନ ସାଗର । ଯେଉଁଥିରେ ଭରି ରହିଥାଏ ଖାଲି ତ୍ୟାଗ ଆଉ ସମର୍ପଣ । ଯେଉଁ ଡାକର ତେର ନଦୀ ସାତ ସାଗରର ସେପଟରୁ ବି ମିଳେ ଉତ୍ତର । ଦୁନିଆର ପ୍ରତ୍ୟକ ମଣିଷ ପାଇଁ ମା ହେଉଛି ସବୁଠାରୁ ସୁନ୍ଦର ଆଉ ମଧୁମୟ । ଯିଏ ଜହ୍ନ ଠାରୁ ଶୀତଳ ଆଉ ଫୁଲ ଠାରୁ କୋମଳ । ସେଥିପାଇଁତ ମା ଜୀବନର ସବୁଠାରୁ ବଡ କଷ୍ଟ ଗର୍ଭ ଯନ୍ତ୍ରଣାକୁ ବି ବଡ ସରାଗରେ ସହିଯାରେ । ଦଶମାସ ଦଶଦିନ ଯନ୍ତ୍ରଣା ସହି ଆମକୁ ଦେଖାଇ ଥାଏ ଦୁନିଆର ଆଲୋକ ।
ତଥାପି ଏଇ ଦୁନିଆରେ କିଛି ଅବୁଝା ପୁଅ ରହିଥାନ୍ତି ସେମାନେ ବୁଝିପାରନ୍ତିନି ମା ର ମୂଲ । ବଡ କଷ୍ଟ ଲାଗେ ସେତେବେଳ ଯେତେବଳେ ଖବର କାଗଜ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରେ ଦୁଃଖିନି ମା ଟିଏ । ମିଛମ।।ୟା ସଂସାର ବନ୍ଧନରେ ମଣିଷ ବେଳେବେଳେ ଏମିତି ଛନ୍ଦି ହୋଇଯାଏ ଯେ ସେ ଆପେଆପେ ଭୁଲିଯାଏ ସବୁକିଛି । ସେ ପାଶୋରି ଯାଏ ପିତାମାତାଙ୍କ ପ୍ରତି ଥିବା ତାର କର୍ତ୍ତବ୍ୟକୁ । ଅୟୁତ ଯୁଗର କାମନାକୁ ଗୋଟିଏ ଜନ୍ମରେ ପୂରଣ କରିବା ପାଇଁ ସେ ସ୍ୱପ୍ନର ପାଲଟି ଯାଏ ସୌଦାଗର । ଭୁଲି ଯାଏ ନିଜ ଜନ୍ମଦାତ୍ରୀ ମା କୁ ଦୂରେଇ ଦିଏ ନିଜଠୁ । ତେବେ ଭାରତ ପରି ଏକ ସଚେତନ ଦେଶରେ ଏମିତି ଚିତ୍ର କେମିତି ଆସେ ତାହା ଆଜି ବି ବଡ ପ୍ରସଙ୍ଗ ହୋଇ ରହିଛି ।
ସାମାଜିକ ଗଣମାଧ୍ୟମରେ ଆଜି ଦିନରେ ଯେତିକି ଭଲ ପାଇବା ଦେଖିବାକୁ ମିଳୁଛି ବାସ୍ତତବରେ ମା ମାନେ କ’ଣ ସେତିକି ଖୁସିରେ ଅଛନ୍ତି ? ଯଦି ହଁ ତେବେ ଦେଶ ସାରା କାହିଁକି ପ୍ରତିବର୍ଷ ଶହଶହ ଜରାଶ୍ରମ ଖୋଲିବାରେ ଲାଗିଛି ? କାହିଁକି ପ୍ରକାଶ ପାଉଛି ଅବହେଳିତ ମା ର ଖବର ? କ’ଣ ରହିଛି ଆବଶ୍ୟକତା ? ଏସବୁର ଉତ୍ତର ସେଇ ଅବୁଝା ପିଲାମାନଙ୍କ ପାଖରେ ଅଛି । ଆଜିର ପୁଅ କାଲିର ବାପା, କାଲିର ଝିଅ ଆଜିର ବୋହୂ ଆସନ୍ତା କାଲିର ମା । ଏଇ ହେଉଛି ଦୁନିଆର ନୀତି । ନାଁ କେବେ ବଦଳିଛି ନାଁ କେଉଁଦିନ ବଦଳିବ । ଛୋଟିଆ କଥା ଅନେକ ବ୍ୟଥା, “ମା’’ ପାଇଁ ଦିନଟିଏ ନୁହେଁ ସବୁଦିନ ହେଉ ମଦର୍ଶ ଡେ ।