ଆନ୍ଦପୁର,(ସୌମ୍ୟରଂଜନ ସାହୁ): ନୃଶଂସ, ଜଘନ୍ୟ ଓ ବିଭତ୍ସ । ହାତଗୋଡ କାଟି ବିଧାୟକ ପାର୍ଥୀଙ୍କୁ ହତ୍ୟା । ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି କେନ୍ଦ୍ୁଝର ଜିଲ୍ଲା ଆନ୍ଦପୁର ଅଞ୍ଚଳରେ । ହତ୍ୟାର ଶିକାର ହୋଇଛନ୍ତି ବ୍ଲକ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଅଡି ବସିଛନ୍ତି । ସେପଟେ ପୁଲିସ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ତେବେ ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ନା’ ରାଜନୈତିକ ହିଂସା ଲୁଚି ରହିଛି ସେନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ । ସେପଟେ ଏହି ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ଘଷିପୁରା ବିଧାନସଭା ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ କହଁର । ସିଧାସଳଖ ସେ ମନ୍ତ୍ରୀ ବଦ୍ରୀ ନାରାୟାଣ ଓ ତାଙ୍କ ପୁଅକୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ପରିବାରକୁ ଅଯଥା ଟାର୍ଗେଟ କରାଯାଉଥିବା କହିଛନ୍ତି ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର । ତେବେ ଏହାପଛରେ ସତ କ’ଣ ଆଉ ମିଛ କ’ଣ ତାହା ଖୁବଶୀଘ୍ର ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
ରିପୋର୍ଟ ଅନୁସାରେ, ରାମଚନ୍ଦ୍ର ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ୧୫୮୪୫ ଖଣ୍ଡ ଭୋଟ ପାଇଥିଲେ । ମଙ୍ଗଳବାର ସେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଥିଲେ । ହେଲେ ଗତକାଲି ରାତି ହିଁ ତାଙ୍କ ପାଇଁ ହୋଇଥିଲା କାଳରାତ୍ରୀ । ନିଜ ଘର ଧକୋଟାରେ ଥିବା ବେଳେ ଅଚାନକ୍ ୫/୬ଜଣ ଆସି ତାଙ୍କୁ ଘରୁ ଡାକିନେଇଥିଲେ । ବାସ ଏହାପରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ଗୋଡ ଓ ହାତ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ବଡ଼ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।