ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ମାସ ୨୧ରେ ଓଡିଶା ବନ୍ଦ । ଏହି ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଘ । ଓଡିଶାରେ ଦୀର୍ଘ ଦିନ ହେବ ‘ଥ୍ରୀପି’ ପାଇଁ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ଏହାକୁ ରାଜ୍ୟ ସରକାର ଶୁଣୁ ନାହାଁନ୍ତି । ଏହି ଥ୍ରୀ ପି ମଧ୍ୟରେ ରହିଛି ପ୍ରାଇସ,ପ୍ରେଷ୍ଟିଜ ଏବଂ ପେନସନ । ଯାହାକୁ ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନ କରୁଥିଲେ ମଧ୍ୟ ଏହା ପୂରଣ ହୋଇନାହିଁ । ସେପଟେ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପାଇଁ ଆସୁଥିବା ବେଳେ ପୋଲିସ ଏହାକୁ ଭଣ୍ଡୁର କରୁଛି । ଏଣୁ ସଂଘ ପକ୍ଷରୁ ଆସନ୍ତା ୨୧ରେ ଓଡିଶା ବନ୍ଦ ଡାକରା ଦେଇଛି । ଉକ୍ରଳ ସାମ୍ବାଦିକ ସଂଘରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମୀଳନୀରେ ନବ ନିର୍ମାଣ କୃଷକ ସଂଘର ରାଷ୍ଟ୍ରୀୟ ସଂଜୋଯକ ଅକ୍ଷୟ କୁମାର ଏହି ସୂଚନା ଦେଇଛନ୍ତି ।
ଅକ୍ଷୟ କୁମାରଙ୍କ ସୂଚନା ଅନୁଯାୟୀ ଆସନ୍ତା ୨୧ରେ ଶାନ୍ତିପୂର୍ଣ୍ଣ ଭାବରେ ଏହି ବନ୍ଦ ପାଳନ କରାଯିବ । ଏହି ବନ୍ଦରେ ରାଜନୈତିକ ଦଳ,ବସ ଟ୍ରକ ମାଲିକ ସଂଘ , ବ୍ୟବସାୟୀ ସଂଘ ଏବଂ ସମ୍ବେଦନଶୀଳ ବ୍ୟକ୍ତିମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି । ତେବେ ଓଡିଶା ଚାଷୀ ବହୁଳ ରାଜ୍ୟ ହୋଇଥିବାରୁ ଏହି ଆନ୍ଦୋଳନରେ ବହୁ ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଇଛି । ଏହି ଆନ୍ଦୋଳନରେ ସରକାରଙ୍କ ଉପରେ ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଛି ।
ଚାଷୀମାନେ ଦୁଇଥର ରାଜଧାନୀରେ ଆନ୍ଦୋଳନ କରିବା ପାଇଁ ଆସିଥିବା ବେଳେ ପୋଲିସ ଏହାକୁ କରିବାକୁ ଦେଇନାହିଁ । ଗତବର୍ଷ ଏବଂ ଚଳିତ ବର୍ଷ ଦୁଇଥର ଭଣ୍ଡୁର କରିଥିବା ଦେଖିବାକୁ ମିଳିଛି । ତେବେ କୃଷକ ନେତାଙ୍କ ଘରେ ପଶି ମଧ୍ୟ ଗିରଫ କରିଛି ପୋଲିସ । ଏଭଳି ଅଭିଯୋଗ କରିଛି ସଂଘ । ଚଳିତ ବର୍ଷ ଆନ୍ଦୋଳନ କରିବା ପାଇଁ ଆସିଥିବା ଚାଷୀଙ୍କୁ ରାଜଧାନୀରେ ପଶାଇ ଦେଇ ନଥିଲା ପୋଲିସ । ଅଧା ବାଟରୁ ଚାଷୀଙ୍କୁ ଅଟକ ରଖିବା ସହିତ କେତେକ ଚାଷୀଙ୍କୁ ଗିରଫ କରିଥିଲା ପୋଲିସ । ତେବେ ସରକାରଙ୍କ ଇଙ୍ଗିତରେ ପୋଲିସ ମାନେ ଏପରି କରୁଥିବା ଅଭିଯୋଗ କରିଛି ସଂଘ । ଏଣୁ ଚାଷୀମାନେ ପ୍ରଥମେ ନିଜ ଅଞ୍ଚଳରେ ରାସ୍ତା ରୋକ କରିବା ସହିତ ଆନ୍ଦୋଳନ କରିଥିଲେ । ଏବେ ରାଜ୍ୟବ୍ୟାପି ବନ୍ଦ ଡାକରା ଦେଇ ସରକାରଙ୍କ ନିଦ ଭାଙ୍ଗିବା ପାଇଁ ବନ୍ଦ ଡାକରା ଦେଉଥିବା ସୂଚନା ଦେଇଛି ସଂଘ ।