ପୁରୀ (ଏଟିଆର ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ମହାପ୍ରଭୁଙ୍କର ଟଙ୍କା ୟେସ ବ୍ୟାଙ୍କରୁ ଫେରିଛି । ୟେସ ବ୍ୟାଙ୍କର ଦେବାଳିଆ ପରିସ୍ଥିତି ହେବା ଫଳରେ ମହାପ୍ରଭୁଙ୍କର ୫୪୫କୋଟି ଟଙ୍କା ଫେରିବାକୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିରେଧୀଙ୍କ ଠାରୁ ଆରମ୍ଭ କରି ସେବାୟତ ସମସ୍ତ ସରକାରଙ୍କୁ କାଠ ଗଡାରେ ଠିଆ କରିଥିଲେ । ୟେସ ବ୍ୟାଙ୍କର ଦେବାଳିଆ ପରିସ୍ଥିତି ଜଣା ପଡିବା ପରେ ଜମାଟଙ୍କା ଉଠାଇବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଥିଲା ।
ଯାହାଫଳରେ ସଭିଙ୍କ ମଧ୍ୟରେ ଶ୍ରୀମନ୍ଦିର ଏତେ ଟଙ୍କା ସ୍ଥାନାନ୍ତରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଆଜି ଉଠିଥିବା ସମସ୍ତ ପ୍ରଶ୍ନ ଉପରେ ପୁର୍ଣ୍ଣଛେଦ ଲାଗିବା ସହ ଶ୍ରୀମନ୍ଦିରର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର କରିଛି ୟେସ ବ୍ୟାଙ୍କ। ଏନେଇ ୟେସ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ନିକଟକୁ ଚିଠି ଲେଖି ଜଣାଇଛନ୍ତି । ୩୮୯ କୋଟି ମୂଳଜମା ସହ ୮ କୋଟି ୨୩ ଲକ୍ଷର ସୁଧ ଟଙ୍କା ମିଳିଛି। ଏହାଛଡ଼ା ଆସନ୍ତା ୩୦ ତାରିଖରେ ବାକି ୧୫୬ କୋଟି ଟଙ୍କା ମାଚ୍ୟୁରିଟି ହେଉଥିବାରୁ ପରେ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।