ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ଆଜି ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି । ଗରିବ, ଶ୍ରମିକ ଓ ଖଟିଖିଆ ଶ୍ରମିକଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ ୯୪ ଲକ୍ଷ ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ସହାୟତା ବାବଦକୁ ମୋଟ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ। ନିର୍ମାଣ ଶ୍ରମିକଙ୍କୁ ସହାୟତା ବାବଦରେ ୩୩୦ କୋଟି ଖର୍ଚ୍ଚ ହେବ। ତେବେ ପୂର୍ବରୁ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ୪ ମାସର ଭତ୍ତା ଆଗୁଆ ମିଳୁଛି। ୪ ମାସର ଆଗୁଆ ଭତ୍ତା ପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ।
ସୂଚନା ଯୋଗ୍ୟ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ୧୯୮ ଟି ଦେଶକୁ ବ୍ୟାପି ସାରିଲାଣି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୬୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୩ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶକୁ ୨୧ ଦିନ ଲକ୍ ଡାଉନ୍ କରିଛନ୍ତି ।