ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବିଜେଡି ସଭାପତି ଭାବେ ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଡକାଯାଇଥିବା ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ବିଜେଡି ସଭାପତି ଭାବେ ମନୋନୀତ ହୋଇଛନ୍ତି । ଏଥର ନବୀନ ଅଷ୍ଟମ ଥର ପାଇଁ ବିଜେଡିର ମଙ୍ଗ ଧରିଛନ୍ତି । ତେବେ ବିଜେଡି ସଭାପତି ଭାବେ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ସାରା ଓଡିଶା ବାସୀଙ୍କୁ ଏହାର ଶ୍ରେୟ ଦେବା ସହିତ ଧନ୍ୟବାଦ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ନିର୍ବାଚନରେ ଜିତିବା ପାଇଁ କେବେ ହେଲେ ବିଜେଡି ନିର୍ବାଚନ ଲଢିନଥିଲା । ବରଂ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି ନିର୍ବାଚନ ଲଢିଥିଲା ବୋଲି କହିଛନ୍ତି ସୁପ୍ରିମୋ ନବୀନ ।
ଏହି ପଦବୀ ପାଇଁ ଗତ ୨୩ ତାରିଖରେ ନାମାଙ୍କନ ଭରିଥିଲେ ନବୀନ । ନବୀନଙ୍କ ବିପକ୍ଷରେ ଆଉ କୌଣସି ନେତା ଏହି ପଦବୀ ପାଇଁ ନାମାଙ୍କନ ଭରି ନଥିଲେ ତେଣୁ ପୂର୍ବରୁ ନବୀନ ହିଁ ବିଜେଡି ସଭାପତି ହେବେ ବୋଲି ସ୍ଥିର ହୋଇ ସାରିଥିଲା । ମାତ୍ର ବିଧିବଧ ଭାବେ ଆଜି ଏହା ଦଳ ପକ୍ଷରୁ ଘୋଷଣା କରାଯାଇଛି । ୧୯୯୭ ମସିହାରେ ଦଳ ଗଠନ ହେବା ଦିନ ଠାରୁ ନବୀନ ଦଳର ସଭାପତି ଭାବେ ରହି ଆସିଛନ୍ତି ।