କନ୍ଧମାଳ ( ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ । ଯାହାକୁୂ ନେଇ ସବୁଦଳ ବର୍ତ୍ତମାନ ନିଜନିଜ ରଣନିତିରେ ପ୍ରଚାର କରୁଛନ୍ତି । ରାଜ୍ୟ ସରକାର ପ୍ରଚାରରେ ୧୯ ବର୍ଷ ଭିତରେ ରାଜ୍ୟର ବିକାଶର ବାର୍ତ୍ତା ବାଣ୍ଟୁଥିବା ବେଳେ ବିରୋଧୀ ରାଜ୍ୟ ସରକାରଙ୍କର ୧୯ ବର୍ଷର ବିଫଳତାକୁ ନେଇ ପ୍ରଚାର ଜୋରଦାର ଚଲାଇଛନ୍ତି । ଏହି ଅବସରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କନ୍ଧମାଳରେ ଦଳ ପାଇଁ ପ୍ରଚାର କରୁଛନ୍ତି । କନ୍ଧମାଳ ତୁମୁଡିବନ୍ଧ ଠାରେ ହେଉଥିବା ଏକ ନିର୍ବାଚନୀ ସଭାରେ ସେ କେନ୍ଦ୍ର ଉପରେ ବର୍ଷିଛନ୍ତି ।
କହିଛନ୍ତି କାଳିଆକୁ ବନ୍ଦ କରାଯିବା ପାଇଁ କେନ୍ଦ୍ର ଚକ୍ରାନ୍ତ କରୁଛି । ମୁୂଁ ବଞ୍ଚିଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ଆହୁରି ମଧ୍ୟ କହିଛନ୍ତି ବିଜେଡି ସରକାରକୁ ଆସିବାର ପ୍ରଥମ ଦିନରେ ହିଁ ଚାଷୀଙ୍କୁ କାଳିଆ ଟଙ୍କା ମିଳିବ । କେନ୍ଦ୍ର ଓଡିଶାକୁ ସହଯୋଗ କରୁନିବା ବେଳେ କେବଳ ଭୋଟ ମାଗିବାକୁ ଓଡିଶାକୁ ଆସୁଛନ୍ତି । ଏମିତି କହି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ସୂଚନାଯୋଗ୍ୟ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ରାଜ୍ୟ ସରକାର କାଳିଆ ଟଙ୍କା ଦେଉଛି ବୋଲି ବିଜେପି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲା ।