ନୟାଗଡ (ଏଟିଆର ବ୍ୟୁରୋ): ଆଜି ନୟାଗଡ ବନ୍ଦ । ନୟାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ଘଣ୍ଟିଆ ନୟାଗଡ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ସକାଳ ୬ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ଯାଏଁ ଚାଲି । ଜିଲ୍ଲାରେ ଥିବା ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଚିନିକଳ ଶ୍ରମିକ, କର୍ମଚାରୀ ଏବଂ ଚାଷୀଙ୍କ ବକେୟା ରାଶି ଫେରାଇବା ଆଦି ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ସମୟରେ ଜରୁରୀ କାଳୀନ ସେବା ସହ ପରୀକ୍ଷାକୁ ବାଦ ଦିଆଯାଇଛି ।
ସୂଚନାନୁଯାୟୀ , ଜିଲ୍ଲାର ପାଣିପୋଇଲା ଠାରେ ୧୯୮୮ ମସିହାରେ ସମବାୟ ଚିନିକଳ ପ୍ରତିଷ୍ଠା କରାଯିବା ପରେ ଏହି ଚିନିକଳ ଆଖୁଚାଷୀଙ୍କ ଜୀବନ ଜୀବିକାର ମାଧ୍ୟମ ଥିଲା । ହେଲେ ପରିଚାଳନାଗତ ତ୍ରୁଟି , ସରକାରଙ୍କର ଆନ୍ତରିକତାର ଅଭାବରୁ ଏହି ଚିନିକଳକୁ ଦୁଇ ଦୁଇ ଥର ଘରୋଇ କମ୍ପାନୀକୁ ବିକ୍ରି କରାଯାଇଥିବା ବେଳେ ଅଧିକାଂଶ ସମୟ ବନ୍ଦ ରହିଥିଲା । ୨୦୧୪ ମସିହାରୁ ଏନଏସସିଏଲ କମ୍ପାନୀ କର୍ତ୍ତୃପକ୍ଷ ଚାଷୀ ଓ ଶ୍ରମିକମାନଙ୍କର କୋଟି କୋଟି ଟଙ୍କା ବାକି ରଖି ଏହାକୁ ତାଲା ପକାଇ ରଖିଛନ୍ତି। ଏହାକୁ ଚାଲୁ କରିବା ପାଇଁ ବୈଠକ ଏବଂ ଆନ୍ଦୋଳନ କରାଯାଇଛି ହେଲେ କୌଣସି ସୁଫଳ ମିଳିନି ।
ତେଣୁ ଆଜି ଜିଲ୍ଲା ବ୍ୟାପି ଏହି ବନ୍ଦ ପାଳନକୁ ସମର୍ଥନ ଯୋଗାଯାଉଥିବା ବେଳେ ଜିଲ୍ଲାର କୃଷକ,ଶ୍ରମିକ ଆଦି ଅନେକ ସଂଗଠନ ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି । ସମଗ୍ର ଜିଲ୍ଲାର ସଡକପଥ, ଦୋକାନ,ବଜାର, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଆଜି ବନ୍ଦ ରହିବ। ଆନ୍ଦୋଳନକାରୀମାନେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।