ପୁରୀ ( ଏଟିଆର ବ୍ୟୁରୋ): ରଥରେ ଯାତ୍ରା, ମାଉସୀ ମାଙ୍କ ଘରେ ଆଠ ଦିର ରହଣି ପରେ ବାହୁଡି ଥିଲେ ଭାଇ ଭଉଣୀ । ରଥରେ ସୁନାବେଶରେ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବା ପରେ ରତ୍ନସିଂହାସନକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଆଜି ଗ୍ରହଣ ପଡୁଥିବାରୁ ଗତକାଲି ମହାପ୍ରଭୁଙ୍କ ରତ୍ନବେଦିକୁ ବିଜେ ପାଇଁ ସମସ୍ତ ନୀତି ସଅଳ ଶେଷ ହୋଇଥିଲା । ରଥରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତୀ ଶେଷ ହେବା ପରେ ତିନି ରଥରେ ଚାରମାଳ ବନ୍ଧା ଯାଇଥିଲା।
ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଏହା ପରେ ସେବାୟତ ମାନେ ଗୋଟି ପହଣ୍ଡିରେ ରତ୍ନ ବେଦିକୁ ନେଇଥିଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ । ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ପ୍ରଭୁ ଜଗନ୍ନାଥ ହଲି ଦୋହଲି ଭକ୍ତଙ୍କ ଗହଣରେ ଫେରିଛନ୍ତି ଶ୍ରୀମନ୍ଦିରକୁ ।ପରମ୍ପରା ଅନୁସାରେ ମହାଲକ୍ଷ୍ମୀ ଜଗନ୍ନାଥଙ୍କୁ ଅପେକ୍ଷା କରି ରହିଥିଲେ ଭୋଗ ମଣ୍ଡପରେ ।
ମହାଲକ୍ଷ୍ମୀ ଅଭିମାନରେ ସିଂହଦ୍ୱାର ବନ୍ଦ ରଖିଥିଲେ କାଳିଆ ସାଆନ୍ତଙ୍କ ପାଇଁ । ମହାଲକ୍ଷ୍ମୀଙ୍କ ଅଭିମାନ ଭାଙ୍ଗିବା ପାଇଁ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇଥିଲେ । ବାର ଦିନ ହେଲା ମହାପ୍ରଭୁଙ୍କ ଏହି ଲୀଳା ଖେଳା କାଲି ଶେଷ ହୋଇଛି । ଗତକାଲି ମହପ୍ରଭୁଙ୍କ ପହଣ୍ଡି ବିଜେ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କର ସମାଙ୍ଗମ ହୋଇଥିଲା । ପ୍ରଶାସନର ସହଯୋଗ ଓ ସେବାୟତଙ୍କ ସହଯୋଗରେ ଗତକାଲି ନିଳାଦ୍ରୀ ବିଜେ ସୁରୁଖୁରୁରେ ଶେଷ ହୋଇଛି ।