ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବହୁ ସମୟରେ ବିବାଦ ଘେରରେ ରହୁଥିବା ନିଳାଚଳ ହସପିଟାଲ ପୁଣି ଚର୍ଚ୍ଚାରେ । ଏହି ହସପିଟାଲ ଲାଗି ନାମ ନେଇଛନ୍ତି ଖୋଦ ଥାନା ଅଧିକାରୀ । ଶୁଣିବାକୁ ପଡିଛି ତାଙ୍କୁ ଅଯଥାରେ ବଡବାବୁଙ୍କଠୁ ତାଗିଦ । ନିଳାଚଳ ହସପିଟାଲର ଖାମଖିଆଲି ମନୋଭାବ ହିଁ ଏହା ପଛର ମୂଳ କାରଣ । ରିପୋର୍ଟ ଅନୁସାରେ, ସତ୍ୟନଗର ଅଞ୍ଚଳର ଜଣେ ଶିଶୁ ପାଣିଟାଙ୍କିରେ ଖସିପଡିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଯୁବକ ତାଙ୍କୁ ହସପିଟାଲ ଆଣିଥିଲେ । ହେଲେ ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଫେରାଇ ଦେଇଥିଲେ ବି ଏ ସମ୍ପର୍କରେ କୌଣସି ସୂଚନା ଥାନାକୁ ଦେଇନଥିଲେ ।
ସବୁଠୁ ବଡ଼ କଥା ହେଉଛି କିଏ ସେହି ଶିଶୁ ତା’ର ଘର କେଉଁଠି ଏ ସମ୍ପର୍କରେ ବି ସୂଚନା ରଖିନଥିଲେ ହସପିଟାଲ କର୍ତ୍ତୃପକ୍ଷ । ତେବେ ଖବର ସାମ୍ନାକୁ ଆସିବା ପରେ ବରିଷ୍ଠ ଅଧିକାରୀମାନେ ଘଟଣା ସମ୍ପର୍କରେ ଜାଣିବାକୁ ଥାନା ଅଧିକାରୀଙ୍କୁ ପଚାରିଥିଲେ । ସେପଟେ ଏ ସମ୍ପର୍କରେ ଆଦୌ ଅଜଣା ଥିବା ଥାନା ଅଧିକାରୀ ବି ଘଟଣା ସମ୍ପର୍କରେ ଜାଣିବା ନେଇ ହସପିଟାଲ କର୍ତ୍ତୃପକ୍ଷକୁ ଯୋଗାଯୋଗ କରିଥିବା ବେଳେ ସେମାନେ ପ୍ରଥମେ ଘଟଣାକୁ ସମ୍ପୂର୍ଣ୍ଣ ଫାଙ୍କି ଦେଇଥିଲେ । ହେଲେ ଶିଶୁଟି ହସପିଟାଲ ଆସିବା ଓ କାଜୁଆଲିଟି ପର୍ଯ୍ୟନ୍ତ ଯିବାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଧରାପଡିଥିଲା ହସପିଟାଲ କର୍ତ୍ତୃପକ୍ଷଙ୍କ ମିଛ । ଉପାୟଶୂନ୍ୟ ହୋଇ ଶେଷରେ ସତ କଥା ମାନିଥିଲେ । ଏହାସହ ନିଜର ଅବହେଳାକୁ ମଧ୍ୟ ସ୍ୱୀକାର କରିଥିଲେ ।
ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ….କାହିଁକି ଥାନାକୁ ଜଣାଇବାକୁ ଚାହିଁଲେନି ହସପିଟାଲ କର୍ତ୍ତୃପକ୍ଷ? ହସପିଟାଲ ପକ୍ଷରୁ କେଉଁଠି କିଛି ଲାଖୁନା ରହିଥିଲା କି? ଆଇନ କହୁଛି ହସପିଟାଲରେ ମୃତ ଦେହ ଆସିବା କ୍ଷଣି ନିକଟସ୍ଥ ଥାନାକୁ ଅବଗତ କରାଯିବା ବାଧ୍ୟତାମୂଳକ । ହେଲେ ନିଳାଞ୍ଚଳ ହସପିଟାଲ ଆଇନକୁ ନମାନିବା ପଛରେ କେଉଁ ଅଦୃଶ୍ୟ ଶକ୍ତି ରହିଛି? ସେପଟେ ଏହି ହସପିଟାଲକୁ ନେଇ ବହୁ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଥାନା ରେକର୍ଡରୁ ଜଣାପଡୁଛି । ଖାସ କରି ଦଲାଲଙ୍କ ସଂଖ୍ୟା ଏଠାରେ ଅଧିକ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।
କିଏ ସେହି ଅଶୋକ
ହସପିଟାଲର ଖାତାଖତିୟାନରେ ନାଁ ନାହିଁ । ହେଲେ ବାବୁଙ୍କ ତୋଡ କିନ୍ତୁ ଅଧିକ । ନିଜକୁ କୋଉ ଡାକ୍ତରଠୁ ବି କମ ଭାବନ୍ତି ନାହିଁ । ଯିଏ ଆସିଲା ତାକୁ ହାବୁଡି ଗଲେ । ବୁଝାବୁଝି କରି ନିଜେ ଫାଇଦା ଉଠାଇଲେ । ଏମିତି ଜଣେ ଦଲାଲ ଏବେ ହସପିଟାଲରେ ମାତିଥିବା ସୂଚନା ମିଳିଛି । ତେବେ ଏନେଇ ହସପିଟାଲ କର୍ତ୍ତୃପକ୍ଷ ସବୁ ଜାଣିଥିଲେ ବି ଏହାର ପ୍ରତିବାଦ ନକରିବା ର୍ଦୁଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ଦଲାଲ କବଳରେ ପଡି ରୋଗୀଙ୍କ ସମ୍ପର୍କୀୟମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।