ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ତିନି ତଲାକ ବିଲକୂୁ ନେଇ ବିଧାନସଭାରେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ମନ୍ତବ୍ୟ ଅଡୁଆ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି ବିଧାୟକ ବିଷ୍ଣୁ ସେଠୀ ମୁସଲିମ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। ସୂଚନାଯୋଗ୍ୟ ବିଜେପି ବିଧାୟକ ବିଷ୍ଣୁ ସେଠୀ ଟ୍ରିପଲ ତଲାକ ଭଳି କଳା ପରମ୍ପରା ଯୋଗୁଁ ମୁସଲିମ ମହିଳା ମାନେ ଘୃଣ୍ୟକାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ।
ଯାହାକୁ ନେଇ କଂଗ୍ରେସ ବିଜେପିକୁ ଘେରିଛି । ବିଧାୟକ ନିସର୍ତ୍ତ କ୍ଷମା ମାଗିବାକୁ କଂଗ୍ରେସ ଦାବି କରିଛି । ଟ୍ରିପଲ ତଲାକ ବିଲକୁ ବିଜେଡି କାହିଁକି ସମର୍ଥନ କଲା ବୋଲି କଂଗ୍ରେସ ପ୍ରଶ୍ନ ଉଠାଇବା ପରେ ବିଜେପି ନେତାଙ୍କ ଏଭଳି ବୟାନକୁ ସହଜରେ ହଜମ କରି ପାରି ନାହିଁ କଂଗ୍ରେସ ଓ ବିଜେଡି । ଯାହାକୁ ନେଇ ଆଜି ବିଧାନସଭା ବାରମ୍ବାର ମୁଲତବି କରିବାକୁ ବାଚସ୍ପତି ବାଧ୍ୟ ହୋଇଛନ୍ତି।ଅନ୍ୟପଟେ କଂଗ୍ରେସ ଭବନଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମଗ୍ର ଦେଶର ମୁସଲିମ୍ ମହିଳାମାନଙ୍କ ପ୍ରତି ଶ୍ରୀ ସେଠୀ ଦେଇଥିବା ମନ୍ତବ୍ୟ ଅଶାଳୀନ ଓ ଅରୁଚିକର ନିନ୍ଦନୀୟ। ତେଣୁ ସେ ତୁରନ୍ତ ସର୍ବସମ୍ମୁଖରେ କ୍ଷମା ମାଗିବାକୁ କଂଗ୍ରେସ ଦାବି କରୁଛି।
ଯଦି ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନକରନ୍ତି, ତା’ହେଲେ କଂଗ୍ରେସ ଧାରଣାରେ ବସିବ ବୋଲି ସେ ସିଧା ସିଧା ଶୁଣାଇ ଦେଇଛନ୍ତି । ଅପରପକ୍ଷେ କଂଗ୍ରେସ ଓ ବିଜେଡି ସଦସ୍ୟ କାହିଁକି ତାଙ୍କ କଥାକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ଦାବି କରୁଛନ୍ତି ବିଷ୍ଣୁ ପ୍ରଶ୍ନ କରିଛନ୍ତି । କହିଛନ୍ତି ବିଜେଡି ଏହି ବିଲ୍ କୁ ସଂସଦରେ ସମର୍ଥନ କଲା ବିଧାନସଭାରେ କାହିଁକି ଓଲଟା ଷ୍ଟାଣ୍ଡ ନେଉଛି ଦଳ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚିନାଯୋଗ୍ୟ ତିନି ତଲାକ ବିଲ ଲୋକସଭା ଓ ରାଜ୍ୟ ସଭାରେ ପାସ ହେବା ପରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି । ତିନି ତଲାକ ବିଲ ଏବେ ଆଇନରେ ପରିଣତ ହୋଇ ସାରିଛି । ମାତ୍ର ବିଧାନସଭାରେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନି ।