ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି । ତେବେ ଏହାରି ଭିତରେ ଗଞ୍ଜାମ ଓ ଯାଜପୁର ବାସୀଙ୍କୁ ଅନୁଗୁଳ ଆସିବାକୁ ବାରଣ କରାଯାଇଛି । ଏବେ ଗଞ୍ଜାମ ଓ ଯାଜପୁର ଲୋକଙ୍କୁ ଅନୁଗୁଳ ଜିଲ୍ଲାରେ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ । ଗଞ୍ଜାମ ଓ ଯାଜପୁର ଜିଲ୍ଲା ହଟ୍ ସ୍ପଟ୍ ହୋଇଥିବାରୁ ଏଭଲି ନିଷ୍ପତି ନିଆଯାଇଛି । ତେବେ ଜିଲ୍ଲା ପ୍ରଶାସନକୁ ଏହି ନିଷ୍ପତିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି କୌଣସି କାମ ପାଇଁ ଅନୁଗୁଳକୁ ପ୍ରବେଶ କରେ ତେବେ ତାଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।
ତେବେ ଆଜି ଅନୁଗୁଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଅନୁଗୁଳରେ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୫୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ହଜାର ୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୪୭୫ଟି ସକ୍ରିୟ କେସ୍ ରହିଛି । ସେହିଭଲି ରାଜ୍ୟରେ ୬୧ ଜଣଙ୍କ ଜୀବନ ନେଲାଣି କରୋନା ମହାମାରୀ ।