ପୁରୀ ( ଏଟିଆର ବ୍ୟୁରୋ): ଆଜି ଠାରୁ ପୁରୀରେ ବିନା ହେଲମେଟରେ ଗଲେ ପେଟ୍ରୋଲ ମିଳିବ ନାହିଁ । ବରଂ ଯଦି ବିନା ହେଲମେଟରେ ପେଟ୍ରୋଲ ପମ୍ପ ଯାଇଛନ୍ତି ଦେବାକୁ ପଡିବ ମୋଟା ଅଙ୍କର ଜରିମାନା । ଏମିତି ଏକ ନୂଆ ନିୟମ ଆଜି ଠାରୁ ପୁରୀରେ ଲାଗୁ କରାଯାଇଛି । ତେବେ ରାଜ୍ୟ ପାଇଁ ଏଇ ପଦକ୍ଷେପ ନୂଆ ନୁହେଁ । କଥାରେ ଅଛି ନୂଆ ଚାଦର ନୂଆ ନୂଆ ବେଳେ ଭାରି ଆଦର । ଏବେ କିଛି ଦିନ ଏହାକୁ ନେଇ ତନାଘନା ହେବ ମାତ୍ର ପରେ ପୁଣି ଏହି ନିୟମକୁ ପାରାଲିସିସ ହେଲା ଭଳିଆ ନିୟମ ଡଙ୍କ ମୋଡି ପଡିବ । ଆଉ ଉଠିବାକୁ ଯୁ ପାଇବ ନାହିଁ । କାରଣ ଅତୀତରେ ରାଉରକେଲା ଭଳି ସ୍ମାର୍ଟ ସିଟିରେ ଏହା ଆରମ୍ଭ ହୋଇଥିଲା ।
ମାତ୍ର ଦିନ କେଇଟା ଚାଲିବା ପରେ ଯେଉଁ କଥାକୁ ସେଇକଥା । ତେବେ କଡାକଡି ଭାବେ ଏହି ନିୟମ ପାଳନ କରିବା ପାଇଁ ପୁରୀ ଜିଲ୍ଲା ଯୋଗାଣ ବିଭାଗ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକୁ ଚିଠି କରିଛି । ପ୍ରେଟ୍ରୋଲ ପମ୍ପରେ ସଚେତନ ମୂଳକ ପୋଷ୍ଟର ଲଗାଇବା ସହ ପ୍ରତିଦିନ ସିସିଟିଭି ଫୁଟେଜ ଆରଟିଓ ଅଫିସକୁ ଦେବାକୁ କୁହାଯାଇଛି । ଯେଉଁମାନେ ଏହି ନିୟମ ଉଲ୍ଲଘଂନ କରିବେ ଇ- ଚାଲାଣ ତାଙ୍କ ଘରକୁ ପଠାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏବେ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନ କରାଯିବ । ପରେ ସିସିଟିଭି କ୍ୟାମେରା ଫୁଟେଜକୁ ଭିତ୍ତି କରି ଇ- ଚାଲାଣ କାଟିବା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ତୁଶାର ଦେଓ ସୂଚନା ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ନିୟମ କେତେ ଫଳପ୍ରଦ ହେଉଛି ।