ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବେ ତତ୍ପରତା ଦେଖାଇବା ଆରମ୍ଭ କରିଦେଇଛନ୍ତି । ସମସ୍ତ ବିଭାଗ ନିଜ ନିଜ ସ୍ତରରେ କରୋନାର ପ୍ରତିରୋଧ ପାଇଁ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କିଭଳି ହୋଇପାରିବ କରୋନାର ସଫଳ ମୁକାବିଲା । ଏହି ଅବସରରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବସ ଓଭରଲୋଡିଂ ଉପରେ କଟକଣା ଜାରି କରାଯାଇଛି । ରାଜ୍ୟ ପରିବହନମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ କଡା ନିର୍ଦେଶ ଜାରି କରିଛନ୍ତି ।
ବସରେ ଯେତିକି ସିଟ ଅଛି କେବଳ ସେତିକି ଲୋକ ଯାତାୟତ କରିବେ । ଲୋକମାନେ ବସରେ ଆଗଭଳି ଠିଆହୋଇ ଯାତ୍ରା କରି ପାରିବେ ନାହିଁ । ସେହିଭଳି ବସର ଡ୍ରାଇଭରଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ତେବେ ଜାରି ହୋଇଥିବା ଏହି ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ । ସେହିଭଳି ଟୁଇନସିଟିରେ ସମସ୍ତ ସମସ୍ତ ସପିଂମଲ ମଲ ମଧ୍ୟ ବନ୍ଦ ରହିବ । ଖୋର୍ଦ୍ଧା , ଗଞ୍ଜାମ , ରାୟଗଡା ପରେ ଏବେ ଯାଜପୁରରେ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ଆଜି ଯାଜପୁରରେ ୧୪୪ ଧାରା ଲାଗୁ କରିଛନ୍ତି । ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।