ପିପିଲି(ଏଟିଆର ବ୍ୟୁରୋ): ପିପିଲି ନିର୍ବାଚନର ଶେଷ ଦିନରେ ନାମାଙ୍କନ ଭରିବେ ବିଜେଡି ପ୍ର୍ରାର୍ଥୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି । ଏନେଇ ଆଜି ସକାଳୁ ପିପିଲି ବିଜେଡି କାର୍ୟ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରିଛନ୍ତି ରୁଦ୍ର ପ୍ରତାପ ମହାରଥୀ ।
ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରସାଦ ମହାରଥୀଙ୍କୁ ଟିକେଟ ଦେବା ପରେ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ଦେଖା ଦେଇଛି । ଅନ୍ୟ ପଟେ ରୁଦ୍ରଙ୍କ ନା ଘୋଷଣା ହେବା ପରଠାରୁ ମହାରଥୀ ପରିବାର ଏକାଠି ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଛନ୍ତି ।
୨୦୧୯ ନିର୍ବାଚନରେ ପିପିଲିରେ ୧ଲକ୍ଷ ୭୪ ହଜାର ୮୭୫ ଜଣ ମତଦାନ କରିିଥିଲେ। ଦିବଂଗତ ବିଧାୟକ ପ୍ରଦୀପ କୁମାର ମହାରଥୀଙ୍କ ନିକଟକୁ ୮୮ ହଜାର ୫୧୮ ଖଣ୍ଡ ଭୋଟ ଯାଇଥିଲା ଓ ସେ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ସେବେ ୭୨ ହଜାର ୭୩୧ ଖଣ୍ଡ ଓ ପିପିଲି ଆସନରେ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯୮୩୦ ଖଣ୍ଡ ଭୋଟ ପାଇଥିଲେ।
ସେହିପରି କଂଗ୍ରେସ ମଧ୍ୟ ଏଠାରେ ନିଜର ଦବଦବା ଜାହିର ପାଇଁ ଉଦ୍ୟମ ଚଳାଇଛି । ଏପ୍ରିଲ ୩ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ଏପ୍ରିଲ ୧୭ରେ ପିପିଲି ଭୋଟ ହେବ ।