ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପୁନର୍ଗଠନ ହେଲା ରାଜ୍ୟ ଓବିସି କମିସନ । ବହୁ ବର୍ଷ ପରେ ରାଜ୍ୟ ସରକାର ପୁଣି ଥରେ ଓବିସି କମିଶନ ପୁନର୍ଗଠନ କରିଛନ୍ତି । ପୁନର୍ଗଠନ ହୋଇଥିବା ଓବିସି କମିଶନରେ ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଅଧ୍ୟକ୍ଷ, କମିଶନ ସଦସ୍ୟ ସଚିବ ଭାବେ ଆଇଏଏସ ଅଫିସର ବୀରବିକ୍ରମ ଯାଦବ, କମିଶନ ସଦସ୍ୟ ଭାବେ, ଡକ୍ଟର ପ୍ରସନ୍ନ କୁମାର ପାତ୍ର, ପ୍ରଫେସର ନବୀନ ରଥ ଓ ପ୍ରଫେସର ମିତାଲି ଚିନାରାଙ୍କୁ ମନୋନିତ କରାଯାଇଛି ।
ଓବିସି କମିସନ ଗଠନ ହେବା ପରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି ଯେ, ଦୀର୍ଘ ବର୍ଷ ଧରି ରାଜ୍ୟର ଓବିସି ଓ ଏସିବିସି ବର୍ଗ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି । ଚାକିରୀ ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ସେମାନଙ୍କୁ ଅଧିକାର ମିଳିପାରି ନାହିଁ । ଏହି କମିସନ ଓବିସି ସମାଜର ଦୀର୍ଘ ଦିନର ଦାବି କାରଣରୁ ସମ୍ଭବ ହୋଇପାରିଛି ବୋଲି ଧମେନ୍ଦ୍ର ପ୍ରଧାନ କହିଛନ୍ତି । ଅନ୍ୟପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ କହିବା ଅନୁସାରେ ଜାତିଭିତ୍ତିକ ଜନଗଣନା ତଥ୍ୟ ମିଳିଲେ ହିଁ କୌଣସି ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇ ପାରିବ ।