ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଦେଶର ପ୍ରଥମ ମେଟ୍ରୋ ସେବା ଆରମ୍ଭ କରି ଇତିହାସ ରଚିଥିବା କୋଲକାତା ଆଜି ପୁଣି ଏକ ନୂତନ ଇତିହାସ ରଚିବାକୁ ଯାଉଛି । ୧୯୮୪ ମସିହାରେ କୋଲକାତାରେ ପ୍ରଥମ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । ରେଲୱେ ମନ୍ତ୍ରୀ ପିୟୁଷ ଗୋୟଲ ଆଜି ଇଷ୍ଟ ୱେଷ୍ଟ ମେଟ୍ରୋ ସେବାକୁ ଉଦଘାଟନ କରିବେ । ଏହା କୋଲକାତା ଦ୍ୱିତୀୟ ମେଟ୍ରୋ ସେବା ହେବ । ଏହାସହିତ ଫେବୃଆରୀ ୧୪ ରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ । ଏହି ମେଟ୍ରୋ ସେବା ଦୁନିଆର ସବୁଠାରୁ ଶସ୍ତା ମେଟ୍ରୋ ସେବା ହେବ ବୋଲି କୁହାଯାଉଛି । ଯେଉଁଥିରେ ଗୋଟେ ଷ୍ଟେସନରୁ ଆଉ ଏକ ଷ୍ଟେସନକୁ ଯିବା ପାଇଁ ମାତ୍ର ୫ ଟଙ୍କା ଭଡା ରହିଛି । ଏହାବ୍ୟତିତ ଏଥିରେ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ବି ରହିଛି । ଏଥିରେ ପ୍ଲାଟଫର୍ମ ସ୍କ୍ରିନ୍ ଡୋର ଏବଂ ଡିଟେକ୍ସନ ସିଷ୍ଟମ ଭଳି ସୁବିଧା ରହିଛି ।
ମେଟ୍ରୋ ରେଲୱେର କହିବାନୁଯାୟୀ, ବହୁତ ଶୀଘ୍ର କୋଲକାତାର ଜନତାମାନଙ୍କ ପାଇଁ ଏହି ସେବା ବଢାଯାଇ ୧୨ କିଲୋମିଟର ପର୍ଯ୍ୟନ୍ତ କରାଯିବ । ଏହାସହିତ କୋଲକାତା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଯିବ । ବର୍ତ୍ତମାନ ପ୍ରଥମ ଫେଜ୍ ରେ ୬ କିଲୋମିଟର ବିଶିଷ୍ଟ ଲାଇନ୍ ଆରମ୍ଭ ହେବ । ସେହିପରି ଦ୍ୱିତୀୟ ଫେଜ୍ ର ନିର୍ମାଣ ପୁରା ହେବା ପରେ ଏହି ମେଟ୍ରୋ ସେବା ସଲ୍ଟ ସେକ୍ଟର ୫ରୁ ହାୱଡା ମଧ୍ୟରେ ୧୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବ ।
ତାଲିକା ଅନୁସାରେ ୨ କି.ମି ପର୍ଯ୍ୟନ୍ତ ୫ ଟଙ୍କା, ୫ କି.ମି ପର୍ଯ୍ୟନ୍ତ ୧୦ ଟଙ୍କା, ୧୦ କି.ମି ପର୍ଯ୍ୟନ୍ତ ୨୦ ଟଙ୍କା ଏବଂ ୧୬.୫ କି.ମି ପର୍ଯ୍ୟନ୍ତ ଯାତ୍ରୀଙ୍କୁ ୩୦ ଟଙ୍କା ଦେବାକୁ ପଡିବ ।
ଅନ୍ୟପଟେ ମେଟ୍ରୋ ରେଲୱେର ସିପିଆରଓ ଇନ୍ଦ୍ରାଣୀ ବାନାର୍ଜି କହିଛନ୍ତି କି, ଇଷ୍ଟ-ୱେଷ୍ଟ ମେଟ୍ରୋ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ହେବ । କୋଲକାତା ମେଟ୍ରୋ ରେଲୱେ କରପୋରେଶନ ବହୁତ ଶୀଘ୍ର ହୁଗୁଳି ନଦୀ ଭିତରେ ମେଟ୍ରୋ ଚଲାଇବାର ପ୍ରସ୍ତୁତି କରୁଛି । ଏହି ପ୍ରୋଜେକ୍ଟରେ ଜୋର ସୋରରେ କାମ ଚାଲିଛି । ଆଶା କରାଯାଉଛି କି ୨୦୨୦ ସୁଧା ଏହି କାମ ସମ୍ପୂର୍ଣ୍ଣ ହୋଇଯିବ । ଯାହାପରେ ଯାତ୍ରୀମାନେ ଅଣ୍ଡର ୱାଟର ମେଟ୍ରୋ ସେବାର ଲାଭ ଉଠାଇ ପାରିବେ ।