ଭୁବନେଶ୍ୱର(ଏଟିଆର ବ୍ୟୁରୋ); ଦିଲ୍ଲୀରେ ଗର୍ଜିବେ ଓଡିଆ ଚାଷୀ । ସ୍ୱତନ୍ତ୍ର ଟ୍ରେନରେ ଯିବେ, ପାର୍ଲାମେଣ୍ଟ ସାମ୍ନାରେ ବିକ୍ଷୋଭ ଓ ଧାରଣା ଦେବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ସହ ଓଡିଶାର ଚାଷୀକୂଳ ପ୍ରତି କେନ୍ଦ୍ର ଦୃଷ୍ଟି ଦେବାକୁ ଦାବୀ କରି ଚାଷୀଙ୍କୁ ଧରି ଦିଲ୍ଲୀରେ ସମାବେଶ କରିବ ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ବିଜୁ କୃଷକ ଜନତା ଦଳ । ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଓଡିଶା ଚାଷୀ ପ୍ରତି ବିଶ୍ୱାସ ଘାତକତା କରିଛନ୍ତି କେନ୍ଦ୍ର ସରକାର । ବାରମ୍ବାର ଦାବୀ ସତ୍ୱେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ଟଙ୍କା କରା ନ ଯିବା ପ୍ରତିବାଦରେ ଏବେ ଦିଲ୍ଲୀରେ ହେବ ଆନ୍ଦୋଳନ । ସେପଟେ ଦଳ ମହାସଚିବ ପ୍ରତାପ ଜେନା କହିଛନ୍ତି, ଓଡିଶାର ଚାଷୀ ଦିଲ୍ଲୀରେ ଗର୍ଜନ ନକଲେ କେନ୍ଦ୍ରର ନିଦ ଭାଙ୍ଗିବନି ।
ସେପଟେ ଏହାକୁ ହସରେ ଉଡାଇଛି କଂଗ୍ରେସ । ତିନି ରାଜ୍ୟରେ ଚାଷୀମାନେ ହିଁ ଶାସକ ଦଳକୁ ଧରାଶାୟୀ କରିଥିବାରୁ ଏବେ ନିର୍ବାଚନ ପୂର୍ବରୁ ଚାଷୀଙ୍କ କଥା ମନେ ପକାଇଛି ବିଜେଡି । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ଏହା ହେଉଛି ବିଜେଡିର ଚିପ୍ ପବ୍ଲିସିଟି । ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବୀରେ ଓଡିଶାରେ ଆନ୍ଦୋଳନ କରୁଛି ନବନିର୍ମାଣ କୃଷକ ସଂଗଠନ । ସରକାରଙ୍କୁ ଜାନୁଆରୀ ଯାଏଁ ସଂଗଠନ କଂଟ ଦେଇଥିବା ବେଳେ ସେହି ଜାନୁଆରୀରେ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିବାକୁ ଦିଲ୍ଲୀ ଯାଉଛି ଶାସକ ଦଳ । ଏଠି ବି ଆନ୍ଦୋଳନ, ସେଠି ବି ଆନ୍ଦୋଳନ । ତେବେ ଏ ଆନ୍ଦୋଳନ ଭିତରେ ଚାଷୀ କେବଳ ମୋହାରା ହୋଇ ଯିବନାହିଁ ତ ?