ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେମୋଟ ୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଚୁରୀ ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ଏ ସର୍ମ୍ପକରେ ସୂଚନା ଦେଇଛନ୍ତି । ମୁଖ୍ୟଶାସନ ସଚିବଙ୍କ କହିବା ଅନୁସାରେ ଓଡିଶାରେ ସିନ୍ଥଟିକ୍ ଲିମିଟେଡ ଶିଳ୍ପ ପ୍ରତିଷ୍ଠା ପାଇଁ ୨ କୋଟି ୧୫ ଲକ୍ଷ ୬୪ ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ସେହିଭଳି ଓଡିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନକୁ ମଞ୍ଜୁରୀ ମିଳିଛି । ଭଲ ପ୍ରଦର୍ଶନ କଲେ ନିଜ ବ୍ୟାଚ ବାହାରେ ମଧ୍ୟ ପଦୋନ୍ନତି ପାଇବେ ଅଧିକାରୀ । ୫ଟି ଓ ମୋ ସରକାରରେ ଯେଉଁ ଅଧିକାରୀ ଓ କର୍ମଚାରୀ ମାନେ ଭଲ କାର୍ଯ୍ୟ ପ୍ରର୍ଦଶନ କରିବେ ସେମାନଙ୍କ ଦକ୍ଷତା ଆଧାରରେ ସମୀକ୍ଷା କରି ପଦନ୍ନୋତି କରାଯିବ ।
ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସ ସୀମା ୩୩ ବର୍ଷରୁ ୪୮ ବର୍ଷକୁ ବୃଦ୍ଧି କରାଯିବା ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତି ନିଆଯାଇଛି । ସେହିଭଳି ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସତ୍ୟବାଦୀରେ ଓଡିଶା ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ହେବ ବୋଲି ମଧ୍ୟ ଏହି ବୈଠକରେ ନିଷ୍ପତି ନିଆଯାଇଛି । ପୂର୍ବରୁ ଏହି କାର୍ଯ୍ୟାଳୟ ଭୁବନେଶ୍ୱରରେ ହେବାର ନିଷ୍ପତି ନିଆଯାଇଥିଲା । ଅନ୍ୟପଟେ ଅମିନ, ଆରଆଇ, ଏଆରଆଇ ନିଯୁକ୍ତି ଓଏସଏସସି ଜରିଆରେ କରାଯିବ ବୋଲି ଜଣାପଡିଛି । ସେହିଭଳି ସମୃଦ୍ଧି କୃଷି ନୀତି-୨୦୧୦କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଆଧୁନିକ ଜ୍ଞାନ କୌଶଳରେ କୃଷି ଉତ୍ପାଦନକୁ ଗୁରୁତ୍ୱ ଦିଆଯିବ । ଚାଷୀଙ୍କ ଆୟକୁ ବଢାଇବା ପାଇଁ ୩ଟି ସୋପାନରେ କାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଛି ।