ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ମହିଳା ଦିବସ । ଏଥିପାଇଁ ଗତକାଲି ଓଡିଶା ଫାଉଣ୍ଡେସନ ପକ୍ଷରୁ ଓଡିଶା ୱିମେନ ଏକ୍ସିଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି । ସୂଚନାଭବନ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୧ଜଣ ଶ୍ରେଷ୍ଠ ପ୍ରତିଭାବାନ ମହିଳା ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା କରିଥିବା ଏହି ୨୧ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ଏଠାରେ ସମ୍ମାନିତ ଅତିଥିରୂପେ ରାଜ୍ୟ ହାଉସିଂ ବୋର୍ଡର ଚେୟାରମ୍ୟାନ ପ୍ରିୟଦର୍ଶୀ ମିଶ୍ର, ମୋ କଲେଜର ଚେୟାରମ୍ୟାନ ଆକାଶ ଦାସ ନାୟକ, ଶିକ୍ଷାବିତ ବଦ୍ରିନାଥ ପଟ୍ଟନାୟକ ଏବଂ ପୂର୍ବତନ ଏମପି ସିଦ୍ଧାନ୍ତ ମାହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ପାରମିତା ପଣ୍ଡାଙ୍କୁ ‘ଏକ୍ସିଲେନ୍ସି ଇନ ବିଜନ୍ସେ’, ତନୟା ପଟ୍ଟନାୟକଙ୍କୁ ‘ଏକ୍ସିଲେନ୍ସି ଇନ ମିଡିଆ’, ସ୍ମୃତିରେଖା ତାରେଣିଆଙ୍କୁ ‘ଏକ୍ସିଲେନ୍ସି ଇନ ଜର୍ନାଲିଜିମ’ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ରୋଜାଲିନ୍ ପାଟଶାଣୀ, ନମ୍ରତା ଚଢ଼ା ଓ ସଞ୍ଜୟ ମହାକୁଡ ଉପସ୍ଥିତ ଥିଲେ। ଏହି ଅବସରରେ ଲୁବୁନ୍-ଟୁବୁନଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଅଙ୍କିତା ଭୌମିକ ଓ ସୁନିତା ମଣ୍ଡଳ ନୃତ୍ୟ ପରିବେଷଣ କରିଥିଲେ।