ଭୁବନେଶ୍ୱର(ଏଟିିଆର ବ୍ୟୁରୋ): ଶେଷରେ କେନ୍ଦ୍ର ଆଗରେ ମୁଣ୍ଡ ନୁଆଇଲା ରାଜ୍ୟ । ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ କାଳିଆ ଯୋଜନା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଚାଷୀ ପାଇଁ ପ୍ରଚଳୀତ କିଷାନ ଯୋଜନାରେ ମିଶିବାକୁ ଯାଉଛି । ସୂତ୍ରର ଖବର ଅନୁସାରେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଏମିତି କି ବିଜେଡି ନେତାମାନେ ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କାଳିଆକୁ ମିଶାଇବାକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦାବି କରିଛନ୍ତି । କିଷାନ ଯୋଜନାରେ କାଳିଆ ଯୋଜନା ସାମିଲ ହେଲେ କେନ୍ଦ୍ର ଦେବ ୬ହଜାର ଓ ରାଜ୍ୟ ଦେବ ୪ହଜାର ଟଙ୍କା ।
ଯଦି ଏହି ଅନୁମାନ ସତ ହୁଏ ତେବେ ଚାଷୀ ପାଇବାକୁ ଥିବା ୧୦ହଜାର ଟଙ୍କାରୁ କେବଳ ମାତ୍ର ୪ହଜାର ଟଙ୍କାର ସହଯୋଗ ରହିବ ରାଜ୍ୟର । ସୂଚନା ଯୋଗ୍ୟ, ଗତ ନିର୍ବାଚନ ସମୟରେ ରାଜ୍ୟ ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ । ଯେଉଁଥିରେ ପ୍ରଥମ କିସ୍ତିରେ ୫ହଜାର ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯାଇଥିଲା । ପରେ ୪୫,୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଟଙ୍କା ହାତେଇ ନେଇଥିବା ବିଧାନ ସଭାରେ ସୂଚନା ଦେଇଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଯାହାକୁ ନେଇ ବିରୋଧ ସବୁ ବେଳେ ଏହା ସରକାରଙ୍କର ଏକ ଭୋଟବ୍ୟାଙ୍କ ପଦକ୍ଷପ ବୋଲି କହି ସମାଲୋଚନା କରିଆସୁଛନ୍ତି । ଆଜି ଏନେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି କାଳିଆ କିଷାନ ଯୋଜନା ମିଶ୍ରଣ ହେଲେ ମଧ୍ୟ କାଳିଆ ଯୋଜନା ପୂର୍ବଭଳି ଚାଲୁ ରହିବ ।