ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଘାରିଲାଣି କୋରନା ଭାଇରସର ଚିନ୍ତା । ଚୀନରେ ନେଲାଣି ୪୧ ଜୀବନ ଏବଂ ପ୍ରାୟ ୧ ହଜାରରୁ ଅଧିକ ଲୋକ ଏବେ ଏହି ଭାଇରସର ଆକ୍ରମଣରେ ଆକ୍ରାନ୍ତିତ ହୋଇସାରିଛନ୍ତି । ତେବେ ଚୀନରେ ଦେଖା ଦେଇଥିବା ଏହି ସଂକ୍ରମଣ ଯେପରି ଭାରତକୁ ନବ୍ୟାପିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଇତି ମଧ୍ୟରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ସଂକ୍ରମଣ ଯେପରି ରାଜ୍ୟରେ ନ ବ୍ୟାପିବ ସେଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି।
ଏହି ଚିଠିରେ କୋରନା ଭାଇରସରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯିବା ସହ ଏହାର ତୁରନ୍ତ ମୁକାବିଲା ନେଇ ପ୍ରସ୍ତୁତି ରହିବାକୁ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦର କତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ପଠାଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବିମାନବନ୍ଦରରେ ସନ୍ଧିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ କଟକ ଏସସିବି ଓ ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ, ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଅନ୍ୟପଟେ ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।