ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁ ମାନଙ୍କ ଉପରେ ଦୁଷ୍କର୍ମ ଓ ହତ୍ୟା ମାମଲା ବଢିବାରେ ଲାଗିଛି । ଏହାକୁ ଲଗାମ ଲାଗାଇବା ପାଇଁ ୪୫ ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତି ନିଆଯାଇଛି । ବୈଠକ ସରିଲା ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ ଏହି ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ମଧ୍ୟରୁ ୨୧ଟି ମହିଳା ମାନଙ୍କ ପାଇଁ ଓ ୨୪ଟି ପୋକ୍ସ ମାମଲା ପାଇଁ ନିର୍ମାଣ କରାଯିବ । ହାଇକୋର୍ଟରେ ୧୪ଟି ବିଚାରପତି ପଦ ଖାଲି ପଡିଛି । ଶୀଘ୍ର ଏହି ପଦବୀ ପୂରଣ ହେଲେ ତ୍ୱରିତ ନ୍ୟାୟ ମିଳି ପାରିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ବହୁ ଅପରାଧୀକ ମାମଲା ପଡି ହୋଇ ରହିଛି । ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା କାରଣରୁ ଦୀର୍ଘ ଦିନ ହେବ ପିଡୀତା ମାନେ ନ୍ୟାୟ ପାଇ ପାରୁନାହାନ୍ତି । ଏହି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଗଲେ ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ଅପରାଧରେ ଜଡିତ ଥିବା ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଦଣ୍ଡ ଦିଆ ଯାଇପାରିବ ଏହା ସହ ପିଡୀତା ମାନଙ୍କୁ ନ୍ୟାୟ ମିଳି ପାରିବ ବୋଲି ଆଶା କରାଯାଉଛି । ସୂଚନା ଯୋଗ୍ୟ ଥାଉକି ଗତକାଲି ଉତ୍ତର ପ୍ରଦେଶ କ୍ୟାବିନେଟ ଉତ୍ତର ପ୍ରଦେଶରେ ୨୧୮ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତି ନେଇଛନ୍ତି ।