ପୁରୀ ( ଏଟିଆର ବ୍ୟୁରୋ): ଚଳିତ ରଥଯାତ୍ରା ଅବସରରେ ଘୋଷଯାତ୍ରା, ସୁନା ବେଶ, ବାହୁଡାରେ ପିପିଲି ଟୋଲ ଗେଟରେ ଫି ନିଆଯିବ ନାହିଁ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ମାତ୍ର ଆଜି ଏହାର ବିପରୀତ କଥା ଦେଖିବାକୁ ମିଳିଛି ପିପିଲି ଟୋଲ ଗେଟ ନିକଟରେ । ସରକାରଙ୍କ ନିଷ୍ପତ୍ତିକୁ ମାନିଲା ନାହିଁ ଏନଏଚ । ପୂର୍ବଭଳି ଗାଡି ଗୁଡିଙ୍କ ଠାରୁ ଟୋଲ ଗେଟ ଫି ମଗା ଯାଉଛି । ତେବେ ଏନେଇ ଏନଏଚ ପକ୍ଷରୁ କୁହାଯାଇଛି କି ପ୍ରଶାସନ ପକ୍ଷରୁ ଏନଏଚ ସହିତ କୌଣସି ଆଲୋଚନା ହୋଇନାହିଁ ।
ତେବେ ଏନଏଚ ମଧ୍ୟରୁ ମଧ୍ୟ ଏମିତି କୌଣସି ନିୟମ ନାହିଁ ବୋଲି କୁହାଯାଇଛି । ପୂର୍ବରୁ ସରକାରୀ ବସକୁ ଫ୍ରି କରି ଏନଏଚ ବହୁତ କ୍ଷତି ସହିଛି । ତେଣୁ ପୂର୍ବଭଳି ଫି ନିଆଯିବ । ସୂଚନାଯୋଗ୍ୟ ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ପୁରୀ ଯିବାକୁ ଥିବା କୌଣସି ଗାଡ଼ିରୁ ଟୋଲ୍ ଗେଟ୍ ଫି’ ନିଆଯିବ ନାହିଁ ବୋଲି ରଥଯାତ୍ରା ସଂପର୍କିତ ଶେଷ ସମନ୍ୱୟ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ ।
ଏମିତିକି ଏହି ବୈଠକରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ତେବେ ଏନଏଚକୁ ନଜଣାଇ ସାଧାରଣ ଲୋକଙ୍କୁ କେଉଁଭଳି ଭାବେ ଏଭଳି ସୂଚନା ଦିଆଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।