ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ଲୋୟର ପିଏମଜିରେ ସରକାର ବିରୋଧୀ ନାରା ଦେଇ ଗର୍ଜୁଛନ୍ତି ଓଡିଶା କୃଷକ ସାଥୀ । ସରକାରଙ୍କ କୃଷି କ୍ଷେତ୍ରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ସାବତ ପୁଅ ଭଳି ଦେଖୁଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଦୀର୍ଘ ଦିନ ହେବ ରାଜରାସ୍ତାରେ ହାଡ ଭଙ୍ଗା ଶୀତରେ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାରଙ୍କ ଆଡ ଆଖି ଏମାନଙ୍କ ଉପରେ ପଡୁ ନାହିଁ । ତେବେ ଆଗାମୀ ଦିନରେ ଯଦି ସରକାର ଆମ କଥା ନଶୁଣନ୍ତି ତେବେ ଆନ୍ଦୋଳନ ତିବ୍ର ରୂପ ନେବ ବୋଲି ସଂଘର ସଭାପତି ଅମୂଲ୍ୟ କୁମାର କର ସୂଚନା ଦେଇଛନ୍ତି ।
୨୦୦୬ ମସିହାରୁ ଦୀର୍ଘ ବାର ବର୍ଷରୁ ଅଧିକ ସମୟ ଧରି କୃଷି କୃଷକର ବିକାଶ ଏବଂ ଓଡିଶା ସରକାରଙ୍କର କୃଷି ବିଭାଗରେ କର୍ମଚାରୀ ଅଭାବ ଥିବା ସମୟରେ କୃଷକ ସାଥୀ ମାନଙ୍କ ସହାୟତାରେ ଗାଁ ଗାଁରେ କୃଷି ବିକାଶର ବାର୍ତ୍ତା ପହଁଞ୍ଚାଇବା ଭଳି ଅନକେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ମାସିକ ମାତ୍ର ପାଞ୍ଚ ଶହ ଟଙ୍କା ଦରମା ମିଳୁଛି । ଯାହାକି ଆଜିକା ସମୟରେ ବହୁତ କମ । ବୟସ୍କ ବୃଦ୍ଧ ଏବଂ ଅନ୍ୟମାନଙ୍କୁ ମଧ୍ୟ ସମାନ ଭତ୍ତା ମିଳୁଛି । ମହଙ୍ଗା ଯୁଗରେ ୫ ଶହ ଟଙ୍କାର ମୂଲ୍ୟ ବହୁତ କମ । ଏଥିରେ ପରିବାର ପୋଷିବା ତ ଦୂରର କଥା ନିତାନ୍ତ ଆବଶ୍ୟକ ଦ୍ରବ୍ୟ ମଧ୍ୟ କିଣିହେବ ନାହିଁ । ତେବେ ସରକାର ମାସିକ ଟଙ୍କା ନଦେଇ ଏକା ଥରକେ ବର୍ଷକୁ ୬ ହଜାର ଟଙ୍କା ଦେଉଛନ୍ତି । ଯାହାକି ଦିନକୁ ମଜୁରୀ ମାତ୍ର ଷୋହଳ ଟଙ୍କା ପଚାଶ ପଇସା । ଯାହାକି ଅତ୍ୟନ୍ତ ହାସ୍ୟାଷ୍ପଦ କଥା । ଏଭଳି ଅଭିଯୋଗ କରିଛନ୍ତି କୃଷକ ସାଥୀ ସଂଘ ।
ସେପଟେ କେନ୍ଦ୍ର ସରକାର ଏମାନଙ୍କୁ ମାସିକ ଏକ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ମାତ୍ର ପାଞ୍ଚ ଶହ ଟଙ୍କା ପ୍ରଦାନ କରୁଛନ୍ତି । ଏଣୁ ଏମାନେ ୫ ଦଫା ନେଇ ଅହୋରାତ୍ର ଅନଶନରେ ବସିଛନ୍ତି । ସମାନ କାମ ପାଇଁ ସମାନ ମଜୁରୀ ହେଉଛି ଏହି ସଂଘର ମୁଖ୍ୟ ଅଭିଯୋଗ । ତେବେ ଏହି ୫ ଦଫା ଦାବି ମଧ୍ୟରେ ରହିଛି କୃଷି କର୍ମଚାରୀ ଭାବରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଏବଂ ମାସିକ ୧୮ ହଜାର ଟଙ୍କା ଟଙ୍କା ବେତନ ଦେବା ଭଳି ଦାବି । ତେବେ ସରକାରଙ୍କ କୃଷି ବିଭାଗରେ ଥିବା ମନ୍ତ୍ରୀ ଏମାନଙ୍କ ଦାବି ପୂରଣ କରିବା ପାଇଁ ବାରମ୍ବାର ପ୍ରତିଶ୍ରୃତି ଦେଉଛନ୍ତି । ମାତ୍ର ଏହାର କୌଣସି ପ୍ରଭାବ ପଡୁନାହିଁ କି ମନ୍ତ୍ରୀଙ୍କର ନିଦ ଭାଙ୍ଗୁ ନାହିଁ ଏଭଳି ଅଭିଯୋଗ କରିଛି ସଂଘ ।