ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସହରାଞ୍ଚଳ ମାନଙ୍କରେ ଦିନକୁଦିନ ଷ୍ଟ୍ରିଟ୍ ଫୁଡ୍ ର ଲୋକପ୍ରିୟତା ବଢିଚାଲିଛି । ବଡ ବଡ ରେଷ୍ଟୁରାଣ୍ଟ ଅପେକ୍ଷା ଲୋକ ରାସ୍ତା କଡରେ ମିଳୁଥିବା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଅଧିକ ପସନ୍ତ କରୁଛନ୍ତି ।
ରାସ୍ତା କଡରେ ମିଳୁଥିବା ଖାଦ୍ୟ ସ୍ୱାଦିଷ୍ଟ ହେଲେ ମଧ୍ୟ ଏହି ସବୁ ଖାଦ୍ୟର ମାନ ଓ ସ୍ୱଚ୍ଛତା ଉପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ । ସେଥିପାଇଁ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଏକ୍ଷେତ୍ରରେ ତତ୍ପରତା ଦେଖାଇଛନ୍ତି ।
ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି ସହରାଞ୍ଚଳ ଖାଦ୍ୟ ନିରାପତ୍ତା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସହରରେ ବଢୁଥିବା ଜନସଂଖ୍ୟାକୁ ଆଖିରେ ରଖି ରାସ୍ତା ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍ ଗୁଡିକରେ ଖାଦ୍ୟ ନିରାପତ୍ତା ଉପରେ ଶ୍ରୀ ତ୍ରୀପାଠି ଗୁରୁତ୍ୱାରୋପ କରିଥିଲେ ।
ରାସ୍ତା ପାଶ୍ୱର୍ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ନିରାପଦ ଖାଦ୍ୟ ପ୍ରସ୍ତୁତି, ପରିବେଶ ଓ ପରିଚ୍ଛନତା ଆଦି ବିଷୟରେ ତାଲିମ ଦେବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଅଭିଜ୍ଞ ସଂସ୍ଥା ମାନଙ୍କ ମାଧ୍ୟମରେ ଖାଦ୍ୟ ନିରାପତ୍ତା ପ୍ରବର୍ତ୍ତନକୁ ଅଧିକ ବ୍ୟାପକ ଓ କଡାକଡି କରିବାର ସମ୍ଭାବନା ଅନୁଧ୍ୟାନ କରିବାପାଇଁ ବୌଠକରେ ନିଷ୍ପତି ନିଆଯାଇଥିଲା ।