ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ଚିଲିକାରେ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା । ବାଲୁଗାଁ ବନଖଣ୍ଡର ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି । ଆଜି ସକାଳ ୫ଟାରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । ଏହି ଗଣନା କାର୍ଯ୍ୟକ୍ରମରେ ୨୧ଟି ଦଳ ଗଠନ କରାଯିବା ସହ ପ୍ରାୟ ୧୨୦ କର୍ମଚାରୀ ନିୟୋଜିତ କରାଯାଇଛି । ତେବେ ପକ୍ଷୀ ଗଣନା କରାଯାଇ ସଂନ୍ଧ୍ୟାରେ ପକ୍ଷୀ ଗଣନାର ସମୀକ୍ଷା ଫଳାଫଳ ଘୋଷଣା କରାଯିବ ବୋଲି ବିଭାଗୀୟ କତ୍ତୃପକ୍ଷ କହିଛନ୍ତି ।
ଅନ୍ୟପଟେ ପକ୍ଷୀ ଗଣନା ନିମନ୍ତେ ଗତକାଲି ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ସମ୍ମିଳନୀରେ ଏକ ବୈଠକ ବା ତାଲିମ ପ୍ରଦାନ କରାଯାଇଥିଲା । ଗତବର୍ଷ ପାଗ ଅନୁକୂଳ ଥିବା କାରଣରୁ ନାଇଜେରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ୨୨ଟି ଦେଶ ବିଦେଶର ପକ୍ଷୀମାନେ ଚିଲିକା ଆସିଥିଲେ । ଗତବର୍ଷ ପାଖି ୧୮୧ ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ ବିଦେଶୀ ପକ୍ଷୀ ଆସିଥିଲେ । ତେବେ ଚଳିତବର୍ଷ ପାଗ ଅନୁକୂଳ ନଥିବାରୁ ପକ୍ଷୀ ସଂଖ୍ୟା ହ୍ରାସ ପାଇପାରେ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ସେହିପରି ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ଜଳଭଣ୍ଡାରରେ ଗତକାଲିଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ତେବେ ସତୀଗୁଡା ଜଳଭଣ୍ଡାରରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି ।