ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବନ୍ଦ ହୋଇଯିବ ଓଡିଶାର ଏକମାତ୍ର ଅନ୍ତର୍ଜାତୀୟ ଆର୍ଟ ସିମ୍ପୋଜିୟମ । ଭୁବନେଶ୍ୱର ଘାଟିକିଆ କଳିଙ୍ଗ ନଗର କେ-୭ରେ ୫ଏକର ଯାଗାରେ ବର୍ଜ୍ୟବସ୍ତୁକୁ ନେଇ ନିର୍ମିତ ହୋଇଥିଲା ଏହି ସଂଗ୍ରହାଳୟ । ବର୍ଜ୍ୟବସ୍ତୁକୁ ନେଇ ଓଡିଶାର ଚର୍ଚ୍ଚିତ ବାଘୁଣୀ ସୁନ୍ଦରୀ, ହାତୀ, ଅଲିଭ୍ ରିଡଲେ, ସିଂହ ମୁଣ୍ଡ ଓଉଡନ୍ତା ଛଞ୍ଚାଣ ଆଦି ତିଆରି କରାଯାଇଥିଲା । ଏହାକୁ ଦେଖିବା ପାଇଁ ପର୍ଯ୍ୟଟକ ମାନେ ବେଷ ଆକର୍ଷିତ ହେଉଥିଲେ । ହକି ବିଶ୍ୱକପକୁ ନଜରରେ ରଖି ଏଠାରେ ମୁକ୍ତାକାଶ ସଂଗ୍ରହାଳୟ ନିର୍ମାଣ କରାଯାଇଥିଲା । ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ନେଦରଲାଣ୍ଡ,ଚୀନ, ଆରର୍ଜେଣ୍ଟିନା ଭଳି ୧୪ ଟି ଦେଶରୁ ୨୧ ଜଣ ଶିଳ୍ପୀ ମାନେ ଏହି ସବୁ ପ୍ରସ୍ତୁତ କରିଥିଲେ । ବିଡିଏ ଓ ଆର୍ଟଷ୍ଟ ନେଟୱର୍କ ପ୍ରମୋଟିଂ ଇଣ୍ଡିଆନ କଲଚର ଦ୍ୱାରା ଏହାକୁ ନିର୍ମିତ କରାଯାଇଥିଲା । ଏହାକୁ ନିର୍ମାଣ କରିବା ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ତେବେ ଗତବର୍ଷ ମେ ମାସରେ ହୋଇଥିବା ମହାବାତ୍ୟ ଫନିରେ ତିଆରି ହୋଇଥିବା ସବୁ ଜିନିଷ ଭାଙ୍ଗି ଯାଇଥିଲା । ଏହା ପରେ ଏହାର ରକ୍ଷଣାବେକ୍ଷଣ କରାଯାଇ ନଥିଲା । ତେବେ ବର୍ତ୍ତମାନ ଏହାକୁ ବନ୍ଦ କରାଯାଇ ସେଠାରେ ମାଇକ୍ରୋ କମ୍ପାଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ବିଏମସି ଯୋଜନା କରିଛି । ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲାଣି । ଏହି ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ଲାଣ୍ଟ ନିର୍ମାଣ ହେଉଥିବା ଯାଗାରୁ ମାତ୍ର ୪୦ ଫୁଟ ଦୂରରେ ଜନବସତି ଅଛି । ଯଦି ଏଠାରେ ପ୍ଲାଣ୍ଟ ନିର୍ମାଣ କରାଯାଏ ତେବେ ପ୍ଲାଣ୍ଟରୁ ନିର୍ଗତ ହେବାକୁ ଥିବା ମିଥେନ ଓ ଅଙ୍ଗାରକାମ୍ଳ ଗ୍ୟାସରେ ସ୍ଥାନୀୟ ଲୋକଙ୍କ ଦେହ ଖରାପ ହେବାର କାରଣ ହେବ ବୋଲି ଅଭିଯୋଗ ହେଉଛି । ଏହାକୁ ବିରୋଧ କରି ସ୍ଥାନୀୟ ବିଧାୟକ, ମନ୍ତ୍ରୀ, ବିଏମସିର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟି କମ୍ପୋଷ୍ଟ ପ୍ଲାଣ୍ଟର ସ୍ଥାନାନ୍ତରଣ ପାଇଁ ଦାବି କରିଛନ୍ତି ।